Skip to content
paribhaasha

Skandha 6

Adhyaya 17

  1. Couplet 1

    ଯେ ଦିଗେ ଅନନ୍ତ ଈଶ୍ୱରସେଠାରୁ ହୋଇଲେ ଅନ୍ତର

  2. Couplet 2

    ଚିତ୍ରକେତୁ ଯେ ବିଦ୍ୟାଧରସେ ଦିଗେ କରି ନମସ୍କାର

  3. Couplet 3

    ତକ୍ଷଣେ ହରଷ ହୋଇଲାଗଗନମାର୍ଗେ ଚଳିଗଲା

  4. Couplet 4

    ଲକ୍ଷେବରଷ ଅବ୍ୟାହତବଳ-ଇନ୍ଦ୍ରିୟେ ହୋଇଯୁତ

  5. Couplet 5

    ସିଦ୍ଧ ଚାରଣ ମୁନିଯେତେସ୍ତୁତି କରନ୍ତି ଅବିରତେ

  6. Couplet 6

    ମହାଯୋଗୀ ସେ ସିଦ୍ଧେଶ୍ୱରରହେ କୁଳାଚଳ ଦ୍ରୋଣିର

  7. Couplet 7

    ଆନନ୍ଦେ ବିଦ୍ୟାଧରୀ ସଙ୍ଗେକ୍ରୀଡା କରଇ ନାନାରଙ୍ଗେ

  8. Couplet 8

    ପରମଈଶ୍ୱରର ନାମକରାଇ କରଇ ଗାୟନ

  9. Couplet 9

    ସେ ପୁଣି ଅକାରଣେ କରିଐଶ୍ୱର୍ଯ୍ୟବଳେ ଗର୍ବକରି

  10. Couplet 10

    ପୂର୍ବର କର୍ମେଣ ତାହାରଦୁର୍ଗାଶାପେ ହେଲା ଅସୁର

  11. Couplet 11

    ତାହା କହିବା ଶୁଣ ନୃପଯେମନ୍ତେ ପାଇଲା ସେ ଶାପ

  12. Couplet 12

    ଏକ ସମୟେ ସେ ରାଜନଆରୋହୀ ଅମୂଲ୍ୟବିମାନ

  13. Couplet 13

    ତେଜେ ଗଞ୍ଜଇ ଦିନକରବିଷ୍ଣୁ ଦେଇଛି ତାକୁ ବର

  14. Couplet 14

    ଗିରିଶ ଦେଖିବାର ପାଇଁଗଲା ସେ ସିଦ୍ଧଗଣ ଲଇଁ

  15. Couplet 15

    ମୁନିଏ ଅଛନ୍ତି ପାଶରେଦୁର୍ଗାଙ୍କୁ ବସାଇ କୋଳରେ

  16. Couplet 16

    ବାହୁରେ କରି ଆଲିଙ୍ଗନବସି ଅଛନ୍ତି ତ୍ରିଲୋଚନ

  17. Couplet 17

    ତାହାଙ୍କ ନିକଟରେ ଯାଇଉଚ୍ଚେ ହସିଣ ସେ ବୋଲଇ

  18. Couplet 18

    ଧର୍ମବକତା ଲୋକଙ୍କରଜଗତଗୁରୁ ଏ ଶଙ୍କର

  19. Couplet 19

    ସଭାର ମଧ୍ୟେ ସ୍ତିରୀସଙ୍ଗେମୈଥୁନଭାବେ ନାନାରଙ୍ଗେ

  20. Couplet 20

    ଶିରରେ ବହି ଜଟାଭାରକେ କହୁ ତପ ଏହାଙ୍କର

  21. Couplet 21

    ଜଗତସ୍ୱାମୀ ବ୍ରହ୍ମବାଦୀଅଷ୍ଟ ଐଶ୍ୱର୍ଯ୍ୟ ଯାର ସିଦ୍ଧି

  22. Couplet 22

    ଅଛନ୍ତି ପତ୍ନୀ ଅଙ୍କେ ଲଇଁନିର୍ଲ୍ଲଜଲୋକ ପ୍ରାୟ ହୋଇ

  23. Couplet 23

    ଏକାନ୍ତେ ପ୍ରାକୃତସ୍ୱଭାବେରହନ୍ତି ସ୍ତିରୀବଶ ଭାବେ

  24. Couplet 24

    ଏ ଯେ ସ୍ୱଭାବେ ଦେବବରଏହାଙ୍କୁ ବୋଲି ବ୍ରତଧର

  25. Couplet 25

    ସଭାରେ ମଧ୍ୟେ ସ୍ତିରୀ ଘେନିଅଛନ୍ତି ଯେହ୍ନେ ନୀଚଯୋନି

  26. Couplet 26

    ଏ ରୂପେ ଚିତ୍ରକେତୁଙ୍କରଶୁଣିଣ ଉପହାସ-ଗିର

  27. Couplet 27

    ଅଖିଳ ବ୍ରହ୍ମାଣ୍ଡ-ଠାକୁରଜାଣନ୍ତି ସକଳ ଅନ୍ତର

  28. Couplet 28

    ଈଶ୍ୱର ତୂଷ୍ଣୀଭୂତ ହୋଇରହିଲେ କିଛିହିଁ ନ କହି

  29. Couplet 29

    ଅଗାଧବୁଦ୍ଧି ହେ ରାଜନହସିଣ ହୋଇଲେ ମଉନ

  30. Couplet 30

    ଜାଣେ ସେ ଜିତେନ୍ଦ୍ରିୟ ମୁହିଁସମୃଦ୍ଧିଲାଭେ ଗର୍ବ ବହି

  31. Couplet 31

    ବଡିମାପଣେ ବାରମ୍ବାରନିନ୍ଦିଲା ଶିବଙ୍କୁ ଅପାର

  32. Couplet 32

    ଈଶ୍ୱର ମହିମା ନ ଜାଣିଯେତେ ବୋଇଲା ପରିମାଣି

  33. Couplet 33

    ସେଠାରେ ଯେତେ ଦେବେଥିଲେସେ ସର୍ବେ ଶୁଣି ତୁନି ହେଲେ

  34. Couplet 34

    ଚିତ୍ରକେତୁର ଏହି ରୀତିସହି ନ ପାରି ଭଗବତୀ

  35. Couplet 35

    ପାଞ୍ଚିଲେ ଦୁଷ୍ଟ ପାମରରଗର୍ବ ହୋଇଛି ଗୁରୁତର

  36. Couplet 36

    ଯୋଗ୍ୟ ନୁହଁଇ ଏ ପାମରଗନ୍ଧର୍ବରାଜନ ପଦର

  37. Couplet 37

    ବ୍ରହ୍ମା ନାରଦ ଭୃଗୁଋଷିସେବନ୍ତି ଯାର ପାଦେ ଆସି

  38. Couplet 38

    ତାହାଙ୍କୁ କରେ ଅପମାନଏଣୁ ଏ ଦଣ୍ଡକୁ ଭାଜନ

  39. Couplet 39

    ଜିତଇନ୍ଦ୍ରିୟ ଅଭିମାନୀତାହାକୁ ବୋଲନ୍ତି ଭବାନୀ

  40. Couplet 40

    ମନରେ ଦଣ୍ଡ ଅବଧାରୀବୋଇଲେ ସମ୍ବୋଧନ କରି

  41. Couplet 41

    ଶୁଣିମା ଜଗତ ଗୋସାଇଁଏ ନୂଆ ଦଣ୍ଡଧର ହୋଇ

  42. Couplet 42

    ଆମ୍ଭର ପରା ଦୁଷ୍ଟଜନନିର୍ଲ୍ଲଜ ଅଛନ୍ତି ଯେ ପୁଣ

  43. Couplet 43

    ତାହାଙ୍କ ଶାସନର ପାଇଁଏଠାକୁ ଏବେ ଆସିଛଇଁ

  44. Couplet 44

    ଯେ ପଦ୍ମଯୋନି ଆଦିଛନ୍ତିଏମାନେ ଧର୍ମ ନ ଜାଣନ୍ତି

  45. Couplet 45

    ବ୍ରହ୍ମାର ପୁତ୍ର ଛନ୍ତି ଯେତେଭୃଗୁ-ନାରଦର ସହିତେ

  46. Couplet 46

    କୁମାର-କପିଳାଦି ଯେହିଧର୍ମକୁ ନ ଜାଣନ୍ତି କେହି

  47. Couplet 47

    ମୋର ନିକଟେ ନିତ୍ୟେ ଥାନ୍ତିକେହିତ ନିନ୍ଦା ନ କରନ୍ତି

  48. Couplet 48

    ନିତ୍ୟେ ଭଜନ ଏହାଙ୍କରପାଦ-ପଙ୍କଜ ହୃଦେ ଯାର

  49. Couplet 49

    ଜଗତଗୁରୁ ଯା ମହିମାସକଳ-ମଙ୍ଗଳର ସୀମା

  50. Couplet 50

    ଯେଣୁ ନିନ୍ଦିଲା ଏ ଈଶ୍ୱରଦଣ୍ଡକୁ ଯୋଗ୍ୟ ଏ ପାମର

  51. Couplet 51

    ଯୋଗ୍ୟ ନୁହଇ ଏ ପାମରବୈକୁଣ୍ଠ-ପଦ ଆଶ୍ରୟର

  52. Couplet 52

    ସ୍ଥିରମତି ଯେ ସାଧୁଜନଯେ ପାଦ କରନ୍ତି ସେବନ

  53. Couplet 53

    ଏହି କାରଣେ ଦୁଷ୍ଟମତିଯାଅ ତୁ ଏଥେ ନାହିଁ ସ୍ଥିତି

  54. Couplet 54

    ପାପିଷ୍ଠ ଅସୁର ଯୋନିରେଜନ୍ମ ତୁ ଲଭ ତମ ଘୋରେ

  55. Couplet 55

    ଶାପକୁ ପାଇଣ ରାଜନବିମାନୁଁ ଓହ୍ଲାଇ ତକ୍ଷଣ

  56. Couplet 56

    ନତମସ୍ତକେ ସିଦ୍ଧପତିପ୍ରସନ୍ନ କରାଇଲା ସତୀ

  57. Couplet 57

    ଭୋ ମାତ ଶୁଣ ମୋ ବଚନଶାପ ମୁଁ ଘେନିଲି ଶିରେଣ

  58. Couplet 58

    ହେ ଦେବି ! ଅସୁର-ଯୋନିରେଜନ୍ମ ଯେ ବିହିଲ ମୋହରେ

  59. Couplet 59

    ସେ ମୋର ପୂର୍ବ-ଅରଜନକହିବି ସାବଧାନେ ଶୁଣ

  60. Couplet 60

    ସଂସାରେ ଯେତେ ଜନ୍ତୁ ଛନ୍ତିଅଜ୍ଞାନ ମୋହରେ ବଞ୍ଚନ୍ତି

  61. Couplet 61

    ଭ୍ରମଣ କରି ଅନୁକ୍ଷଣଭୁଞ୍ଜନ୍ତି ସୁଖଦୁଃଖମାନ

  62. Couplet 62

    ଈଶ୍ୱର-ମହିମା ନ ଜାଣିଯେତେ ବୋଇଲି ପରିମାଣି

  63. Couplet 63

    ସଭାର ମଧ୍ୟେ ଦୁଷ୍ଟମତିହେବାରୁ ପାଇଲି ଦୁର୍ଗତି

  64. Couplet 64

    ଯେ ଆତ୍ମାପର ଅବା କେହିଦୁଃଖସୁଖର କର୍ତ୍ତା ନୋହି

  65. Couplet 65

    ଯେ ଅଜ୍ଞପ୍ରାଣୀମାନେଛନ୍ତିଏହାଙ୍କୁ କର୍ତ୍ତା ବୋଲୁଥାନ୍ତି

  66. Couplet 66

    ଗୁଣର ପ୍ରବାହଟି ଏହିଶାପ ବା ଅନୁଗ୍ରହ କାହିଁ

  67. Couplet 67

    କି ଅବା ସ୍ୱର୍ଗ କି ନରକକି ଅବା ସୁଖ କିବା ଦୁଃଖ

  68. Couplet 68

    ଏକଇ ପ୍ରଭୁ ଆଦିମୂଳମାୟାରେ ସୃଜଇ ସକଳ

  69. Couplet 69

    ଏହାଙ୍କ ବଦ୍ଧ-ମୋକ୍ଷ ଦୁଇଦୁଃଖସୁଖକୁ ଦେଇଥାଇ

  70. Couplet 70

    ଏକଇ ପୁରୁଷ ମୁରାରିନାହିଁ ତାହାର ମିତ୍ର-ଅରି

  71. Couplet 71

    ଜ୍ଞାତିବାନ୍ଧବ ନିଜ ପରପ୍ରିୟ-ଅପ୍ରିୟ ନାହିଁ ଯାର

  72. Couplet 72

    ସର୍ବଭୂତରେ ସମ ସେହିରାଗ-ଦ୍ୱେଷାଦି ତାର ନାହିଁ

  73. Couplet 73

    ତାହାର କ୍ରୀଡାରେ ଜଗତହେଉଅଛନ୍ତି ଆତଯାତ

  74. Couplet 74

    ଏହାର ବଦ୍ଧ-ମୋକ୍ଷ-ସୁଖହିତ-ଅହିତ ଅବା ଦୁଃଖ

  75. Couplet 75

    ଏହାଙ୍କ ଜନ୍ମ ଅବା ମୃତ୍ୟୁହୁଅଇ ତାର ଶକ୍ତି ହେତୁ

  76. Couplet 76

    ହେ ମାତ ହୋଇ ସାବଧାନଶୁଣିମା ମୋହର ବଚନ

  77. Couplet 77

    ଶାପରୁ ମୋକ୍ଷ ହେବା ପାଇଁତୁମ୍ଭଙ୍କୁ କିଛି ନ ମାଗଇ

  78. Couplet 78

    ସଭାରେ ମୁଁ ମନ୍ଦବଚନେତୁମ୍ଭଙ୍କୁ ବୋଇଲି ଅଜ୍ଞାନେ

  79. Couplet 79

    ସାଧୁନିନ୍ଦନ ମୋର ବାଣୀକ୍ଷମା କରିବା ହେ ଭବାନି

  80. Couplet 80

    ପ୍ରସନ୍ନ କରି ଶିବ-ସତୀସେ ଚିତ୍ରକେତୁ ନରପତି

  81. Couplet 81

    ଆପଣା ବିମାନେ ବସିଲାନିଜ ମନ୍ଦିରେ ବିଜେକଲା

  82. Couplet 82

    ଏ ଅନନ୍ତରେ ସେ ଈଶ୍ୱରଦୁର୍ଗାଙ୍କୁ କହନ୍ତି ଏ ଗିର

  83. Couplet 83

    ଋଷି ଦଇତ୍ୟ ସିଦ୍ଧଗଣଶୁଣୁଅଛନ୍ତି ସେ ବଚନ

  84. Couplet 84

    ଅଦ୍ଭୁତକର୍ମା ଯେ ଈଶ୍ୱରପ୍ରଭାବ ଦେଖ ତା ଭୃତ୍ୟର

  85. Couplet 85

    ନିସ୍ପୃହ-ମହାତ୍ମା ସେମାନେସୁଶ୍ରୋଣି ! ଦେଖ ବିଦ୍ୟମାନେ

  86. Couplet 86

    ବିଷ୍ଣୁଭକତ ଯେତେ ଜନେଭୟ ତାହାଙ୍କ ନାହିଁ ମନେ

  87. Couplet 87

    ସ୍ୱର୍ଗ ବା ମୋକ୍ଷ ବା ନରକସମାନ ଦେଖନ୍ତି ସେ ଲୋକ

  88. Couplet 88

    ଦେହୀର ଦେହ-ସଂଯୋଗରୁପରମ-ଈଶ୍ୱର-ଲୀଳାରୁ

  89. Couplet 89

    ଜନ୍ମ ବା ମୃତ୍ୟୁ ଅବା ସୁଖଶାପ ବା ଅନୁଗ୍ରହ -ଦୁଃଖ

  90. Couplet 90

    ପୁରୁଷ ଅବିବେକ ସେହିଏଭାବେ ଭିନ୍ନ ଯେ ଦେଖଇ

  91. Couplet 91

    ଯାହାର ବାସୁଦେବ ପ୍ରୀତିଶୁଦ୍ଧ ତାହାର ଦୃଢ଼ମତି

  92. Couplet 92

    ଜ୍ଞାନ ବୈରାଗ୍ୟ ଅଛି ଯାରପୃଥକଭାବ ନାହିଁ ତାର

  93. Couplet 93

    ମୁହିଁ ବିରଞ୍ଚି ଯେ କୁମାରନାରଦ ଆଦି ମୁନିବର

  94. Couplet 94

    ଇନ୍ଦ୍ରାଦି ଯେତେ ଦେବବରନ ଜାଣୁ ମହିମା ତାହାର

  95. Couplet 95

    ତାହାର ପ୍ରିୟ ନାହିଁ କେହିଅପ୍ରିୟଜନ କେହି ନାହିଁ

  96. Couplet 96

    ମିତ୍ର ଅଇରି ନାହିଁ ଯାରସମାନ ଦେଖେ ଆତ୍ମପର

  97. Couplet 97

    ସକଳ ପ୍ରାଣୀଙ୍କର ପ୍ରିୟଯେଣୁ ସେ ସର୍ବଭୂତମୟ

  98. Couplet 98

    ଏ ଚିତ୍ରକେତୁ ମହାଭାଗତାଠାରେ ବିଷ୍ଣୁ ଅନୁରାଗ

  99. Couplet 99

    ସର୍ବତ୍ର ସମଦୃଷ୍ଟି ଏହିଅଚ୍ୟୁତ ପ୍ରିୟ ଯେହ୍ନେ ମୁହିଁ

  100. Couplet 100

    ମହାତ୍ମାପୁରୁଷ ଯେ ସେହିଏଣୁ ବିସ୍ମୟ ତାର ତହିଁ

  101. Couplet 101

    ନକର ସ୍ଥିରକର ମନବିଷ୍ଣୁଭକତ ଏହୁଜନ

  102. Couplet 102

    ସମଦରଶୀ ଶାନ୍ତ ସେହିବିସ୍ମୟ ଏଥି ଅଛି କାହିଁ

  103. Couplet 103

    ଶିବଙ୍କ ଭାଗବତ ବାଣୀହରଷେ ଶୁଣିଣ ଭବାନୀ

  104. Couplet 104

    ହେ ନୃପ ସ୍ଥିରକଲେ ମନବିସ୍ମୟ ଛାଡିଲେ ବହନ

  105. Couplet 105

    ସେ ଚିତ୍ରକେତୁ ଏ ପ୍ରକାରେଦେବୀର ଶାପ ଘେନିଶିରେ

  106. Couplet 106

    ତାହାର ଏ ସାଧୁ ଲକ୍ଷଣଯେଣୁ କଲା ଶାପ ଗ୍ରହଣ

  107. Couplet 107

    ତ୍ୱଷ୍ଟାର ଦକ୍ଷିଣ-ଅଗ୍ନିରେଜନ୍ମିଲା ଦାନବୀ-ଉଦରେ

  108. Couplet 108

    ବୃତ୍ର ହୋଇଲା ତାର ନାମଜ୍ଞାନବିଜ୍ଞାନରେ ସମ୍ପନ୍ନ

  109. Couplet 109

    ସକଳ ତୁମ୍ଭଙ୍କୁ କହିଲୁଆମ୍ଭଙ୍କୁ ଯେତେ ପ୍ରଶ୍ନ କଲୁ

  110. Couplet 110

    ଗୋବିନ୍ଦେ ମତି ବୃତ୍ରାସୁରଜନ୍ମର କାରଣ ତାହାର

  111. Couplet 111

    ଏ ଇତିହାସ ପୁଣ୍ୟସାରମହାତ୍ମା ଏ ଚିତ୍ରକେତୁର

  112. Couplet 112

    ବିଷ୍ଣୁଭକତ ପ୍ରାଣୀ ଯେହିତାହାଙ୍କ ଗୁଣ ଯେ ଶୁଣଇ

  113. Couplet 113

    ସକଳବନ୍ଧୁ ମୁକ୍ତ ହୋଇବୈକୁଣ୍ଠପଦକୁ ଲଭଇ

  114. Couplet 114

    ଏ ଇତିହାସ ଯେ ପ୍ରଭାତେଶୁଣାଇ ଶୁଣି ସ୍ଥିରଚିତ୍ତେ

  115. Couplet 115

    ହରି ସ୍ମରଣକୁ କରଇପରମଗତିକି ଲଭଇ

  116. Couplet 116

    ନିରତେ ଭଜେ କୃଷ୍ଣପାଦହରଇ ବିଷୟା-ବିଷାଦ

  117. Couplet 117

    ଭକ୍ତନୁଗ୍ରହ-ଭାବ ଏହିତାରନ୍ତି ପ୍ରଭୁ ଭାବଗ୍ରାହୀ

  118. Couplet 118

    ଏ ଗୀତେ ସ୍ଥିରକର ମନଫିଟିବ ମୋହଭ୍ରାନ୍ତିମାନ

  119. Couplet 119

    ଗୋବିନ୍ଦ-ପାଦପଦ୍ମେ ଚିତ୍ତନିବେଶି ଷଷ୍ଠସ୍କନ୍ଧ ଗୀତ

  120. Couplet 120

    ବୋଲଇ ଦାସ ଜଗନ୍ନାଥଚିତ୍ରକେତୁ-ରାଜା ଚରିତ

Odia Bhagabata skandha 6 adhyaya 17 | Parbani by ParibhaAsha App