Skip to content
paribhaasha

Skandha 4

Adhyaya 14

  1. Couplet 1

    ଧ୍ରୁବର କୋପ ଯହୁଁ ଗଲାକୁବେର ଭୁବନେ ଜାଣିଲା

  2. Couplet 2

    ତକ୍ଷଣେ ନିଜ ଗଣ ତୁଲେଧ୍ରୁବ ସମୀପେ ଆସି ମିଳେ

  3. Couplet 3

    ଅଞ୍ଜଳି କରି ବେନିପାଣିକାକୁସ୍ଥେ କହେ ମଞ୍ଜୁବାଣି

  4. Couplet 4

    ଆହେ କ୍ଷତ୍ରିୟ-ଚୂଡାମଣିତୋର ମହିଁମା ମୁହିଁ ଶୁଣି

  5. Couplet 5

    ମିଳିଲି ତୋହର ସମୀପେଗୃହ୍ୟ-କିନ୍ନର ଘେନି ଆପେ

  6. Couplet 6

    ତୁ ଯେଣୁ ପିତାମହ ବୋଲେକୋପ ଛାଡିଲୁ ରିପୁ ତୁଲେ

  7. Couplet 7

    ଭ୍ରାତୃ-ମରଣେ କୋପ ବହିଗୃହ୍ୟକ ବିନାଶିଲୁ ତୁହି

  8. Couplet 8

    କେହି କାହାର ହନ୍ତା ନୋହେପ୍ରାଣୀ-ଜୀବନ କାଳ ଦହେ

  9. Couplet 9

    ଏ ଜୀବ ଅହଂକାର ବହିଆତ୍ମାକୁ ବୋଲେ ତୁହି ମୁହିଁ

  10. Couplet 10

    ଏ ନୋହେ ଜ୍ଞାନୀଙ୍କର ମତଯାହାକୁ ପ୍ରସନ୍ନ ଅନନ୍ତ

  11. Couplet 11

    ସଂସାର ଦେଖେ ସ୍ୱପ୍ନ ପ୍ରାୟେସେ ମୋହେ ନୋହେ ବିପର୍ଯ୍ୟୟେ

  12. Couplet 12

    ତୋର ମଙ୍ଗଳ ହେଉ ନିତ୍ୟେଗୃହେ ତୁ ଚଳ ଶୁଦ୍ଧ ଚିତ୍ତେ

  13. Couplet 13

    ଯା ଶକ୍ତି ମାୟା-ଗୁଣମୟୀତହିଁରେ ଥାଇ ଯେ ନ ଥାଇ

  14. Couplet 14

    ସେ ହରିପାଦେ ଆଶ୍ରେ କରେଆତ୍ମକୁ ସଂସାରୁ ଉଦ୍ଧରେ

  15. Couplet 15

    ତୋତେ ମୋ ହୃଦେ ଅନୁରାଗଯେ ତୋର ଇଚ୍ଛା ବର ମାଗ

  16. Couplet 16

    ହରିଙ୍କି ହୃଦେ ପରିମାଣୁତୁ ବର-ଯୋଗ୍ୟ ହେଉ ତେଣୁ

  17. Couplet 17

    ଏମନ୍ତେ କୁବେର-ବଚନେଧ୍ରୁବ ବିଚାରି ତୋଷମନେ

  18. Couplet 18

    ବୋଲଇ ହରି-ପାଦଗତେମୋହର ମନ ଥାଉ ନିତ୍ୟେ

  19. Couplet 19

    ଅନ୍ୟ କଳ୍ପନା ନାହିଁ ମୋରଯାର ପ୍ରସନ୍ନେ ଭବୁ ପାର

  20. Couplet 20

    କହେ କୁବେର ଧ୍ରୁବେ ଚାହିଁଏ ବର ଲଭ ଧ୍ରୁବ ତୁହି

  21. Couplet 21

    ଏମନ୍ତ କହି ଧ୍ରୁବ ପାଶେକୁବେର ଗମିଲା ଆକାଶେ

  22. Couplet 22

    ଏବେ ହୋ ଶୁଣ ମହୀପତିଧ୍ରୁବର ଅର୍ଜିଲା ବିଭୂତି

  23. Couplet 23

    କୁବେର-ଭୁବନୁ ସନ୍ତୋଷଧ୍ରୁବର ଗମିଲା ନିଜ-ଦେଶେ

  24. Couplet 24

    ନିଜ-ଭୁବନେ ଧ୍ରୁବ ଯାଇଋତ୍ୱିଜ ପୁରୋହିତ ରାଇ

  25. Couplet 25

    ସଂକଳ୍ପ କରି ଯଜ୍ଞମତେପୂଜିଲା ବିଷ୍ଣୁ-ପାଦଗତେ

  26. Couplet 26

    ଏ ଭାବେ ସମ୍ପଦ-ସମ୍ପାଦିଅଣିମା ଆଦି ଅଷ୍ଟନିଧି

  27. Couplet 27

    ସର୍ବ ସମ୍ପଦ ଭୋଗ କଲାଗୃହେ ଉତ୍ତାନପାଦ-ବଳା

  28. Couplet 28

    ସର୍ବ ପ୍ରକାରେ ବିଷ୍ଣୁ ପାଦେଭକ୍ତି ସାଧିଲା ଅପ୍ରମାଦେ

  29. Couplet 29

    ପ୍ରଜାଏ ଧ୍ରୁବର ରାଜତ୍ୱେଆନନ୍ଦେ ବଞ୍ଚିଲେ ଜଗତେ

  30. Couplet 30

    ସ୍ୱଭାବେ ଧ୍ରୁବ ଧର୍ମଶୀଳସୁସାଧୁ ବ୍ରାହ୍ମଣ-ବତ୍ସଳ

  31. Couplet 31

    ଧ୍ରୁବକୁ ପିତୃଭାବେ ଜାଣିଦୁଃଖ ସୁଖକୁ ନ ପ୍ରମାଣି

  32. Couplet 32

    ଆନନ୍ଦ ମନେ ଜନ ପ୍ରଜାପାଳନ କଲେ ଧ୍ରୁବ ରାଜା

  33. Couplet 33

    ସପତ-ଦ୍ୱୀପ ଅଧିପତିହୋଇଲେ ମନୁର ସନ୍ତତି

  34. Couplet 34

    ଛତିଶ-ସହସ୍ର-ବରଷସ୍ୱଭାବେ ପରମ ଆୟୁଷ

  35. Couplet 35

    ଆନନ୍ଦ ମନେ ଭୋଗ କଲାଭୂମି ମଣ୍ତଳେ ମନୁବଳା

  36. Couplet 36

    ଭୋଗରେ ପୁଣ୍ୟ କ୍ଷୟ କରିଯଜ୍ଞାଦି କାର୍ଯ୍ୟେ ପାପହରି

  37. Couplet 37

    ତ୍ରିବର୍ଗ ସାଧନ କରିଣପୁତ୍ରକୁ କରି ରାଜ୍ୟ ଦାନ

  38. Couplet 38

    ନୃପ-ଆସନେ ବସାଇଲାସ୍ୱରାଜ୍ୟେ ଅଭିଷେକ କଲା

  39. Couplet 39

    ଆତ୍ମ-ସମ୍ପଦ ଆଦି ଯେତେସ୍ୱପନ ପ୍ରାୟ ମଣି ଚିତ୍ତେ

  40. Couplet 40

    ବିଷ୍ଣୁର ମାୟା-ବଳ ଜାଣିଗନ୍ଧର୍ବ-ପୁର ପ୍ରାୟ ମଣି

  41. Couplet 41

    ପୁତ୍ର କଳତ୍ର ଦେହ ମିତ୍ରଧନାଦି ସକଳ ଅନିତ୍ୟ

  42. Couplet 42

    ସର୍ବ-ସମ୍ପଦ ପରିହରିସଂଯମେ ଆତ୍ମା ବଶ କରି

  43. Couplet 43

    ଆଶ୍ରମ ନାମ ବଦରିକାତହିଁ ମିଳିଲେ ଧ୍ରୁବ ଏକା

  44. Couplet 44

    ନିବୃତ୍ତ କରି ଇନ୍ଦ୍ରିଗରଚିତ୍ତେ ସୁମରି ନାରାୟଣ

  45. Couplet 45

    ବିଷ୍ଣୁର ସ୍ଥୂଳ-ରୂପେ ମନଧାରଣା ବଳେ କରି ଧ୍ୟାନ

  46. Couplet 46

    ତକ୍ଷଣେ ଲିଙ୍ଗ ରୂପ ଗଲାନିର୍ମଳ-ଜ୍ୟୋତି ପ୍ରକାଶିଲା

  47. Couplet 47

    ଧ୍ରୁବ ଭକ୍ତି ଦୃଢ଼ ହେଲାତା ଅଭିମାନ ଦୂରେ ଗଲା

  48. Couplet 48

    ନୟନୁ ଅଶ୍ରୁ-ବିଗଳିତଆନନ୍ଦେ ଅଙ୍ଗ-ପୁଲକିତ

  49. Couplet 49

    ବିମାନ ଦେଖିଲା ଗଗନେପୂର୍ଣ୍ଣିମା-ସୁଧାକର ଯେହ୍ନେ

  50. Couplet 50

    ତେଜେ ବିରାଜେ ଦଶଦିଶଆକାଶୁ ହେଲା ପରବେଶ

  51. Couplet 51

    ରଥେ ଅଛନ୍ତି ବେନିଦୂତଗଞ୍ଜନ୍ତି ଶଶାଙ୍କ-ଆଦିତ୍ୟ

  52. Couplet 52

    କିଶୋର-ତନୁ ଶ୍ୟାମ ବର୍ଣ୍ଣଅରୁଣ-ପଙ୍କଜଳୋଚନ

  53. Couplet 53

    ଶୋହେ ସୁନ୍ଦର ଭୁଜଚାରିବିଷ୍ଣୁ-ଆୟୁଧ ଛନ୍ତି ଧରି

  54. Couplet 54

    ଅଙ୍ଗଦ କିରୀଟ କୁଣ୍ତଳହୃଦେ ଲମ୍ବଇ ବନମାଳ

  55. Couplet 55

    ରତ୍ନ-ମେଖଳା କଟି-ମାଝେମକର କୁଳ ବିରାଜେ

  56. Couplet 56

    ଧ୍ରୁବ ନିକଟେ ଯାଇ ମିଳିଗଗନୁ ଖସେ କି ବିଜୁଳି

  57. Couplet 57

    ଧ୍ରୁବ ଆନନ୍ଦ ତାଙ୍କୁ ଦେଖିସଂଭ୍ରମେ ଆସନ ଉପେକ୍ଷି

  58. Couplet 58

    ତୁଣ୍ତେ ଗୋବିନ୍ଦ-ନାମ ଗାଇକପାଳେ ବେନିକର ଦେଇ

  59. Couplet 59

    ନମିଲା ତାଙ୍କ ପାଦ ତଳେରୋମ-ପୁଲକ ଅଶ୍ରୁଜଳେ

  60. Couplet 60

    ସୁନନ୍ଦ ନନ୍ଦ ପାରିଷଦେତକ୍ଷଣେ ମିଳିଲେ ଆନନ୍ଦେ

  61. Couplet 61

    ଶ୍ରୀକୃଷ୍ଣ-ନାମ ତୁଣ୍ତେ ଗାଇବୋଲନ୍ତି ଧ୍ରୂବ ମୁଖ ଚାହିଁ

  62. Couplet 62

    ଶୁଣ ଉତ୍ତାନପାଦ-ସୁତସଂସାରେ ତୁହି ଭାଗ୍ୟବନ୍ତ

  63. Couplet 63

    ତୁ ବାଳ ପଞ୍ଚମ-ବରଷେତପେ ତୋଷିଲୁ ହୃଷୀକେଶୋ

  64. Couplet 64

    ଏବେ ଗୋବିନ୍ଦ ଆଜ୍ଞା ଶିରେଘେନି ମିଳିଲୁ ତୋ ଛାମୁରେ

  65. Couplet 65

    ଧ୍ରୁବପଦକୁ ନେବୁ ତୋତେଦେଖ କାଞ୍ଚନ-ଦିବ୍ୟରଥେ

  66. Couplet 66

    ଦୁର୍ଲ୍ଲଭ ଧ୍ରୁବପଦ ତୁହିବନେ ଲଭିଲୁ ତପଦାହି

  67. Couplet 67

    ଏ ଶିଶୁମାର ଚକ୍ର ତୁଲେଚନ୍ଦ୍ର-ଆଦିତ୍ୟ-ତାର ମେଳେ

  68. Couplet 68

    ନିତ୍ୟେ ଭ୍ରମନ୍ତି ପ୍ରଦକ୍ଷିଣେପବନ-ରଜ୍ଜୁ ଆକର୍ଷଣେ

  69. Couplet 69

    ଯେ ପଦେ ତୋର ପିତୃଜନପ୍ରବେଶେ ନୋହିଲେ ଭାଜନ

  70. Couplet 70

    କେ ଆନ ତାହା ଲଭିପାରେଅନିତ୍ୟ-ସଂସାର-ସାଗରେ

  71. Couplet 71

    ଅଶେଷ-ଜଗତ-ବନ୍ଦନବିଷ୍ଣୁ-ପରମପଦ-ସ୍ଥାନ

  72. Couplet 72

    ଏଣୁ ଏ ଉତ୍ତମ-ବିମାନତୋଷେ ପେଷିଲେ ଭଗବାନ

  73. Couplet 73

    ତୁ ଏବେ ବସ ସ୍ଥିରମନେବିମାନ ବାହିବୁ ଗଗନେ

  74. Couplet 74

    ଏମନ୍ତେ ବିଷ୍ଣୁଦୂତ ବାଣୀଆନନ୍ଦମନେ ଧ୍ରୁବ ଶୁଣି

  75. Couplet 75

    ତକ୍ଷଣେ ଧ୍ରୁବ ସ୍ନାନ ସାରିନିତ୍ୟ-ମଙ୍ଗଳ-କର୍ମ କରି

  76. Couplet 76

    ତଦନ୍ତେ ଅଳଙ୍କୃତ ହେଲାମୁନିଙ୍କଚରଣେ ମନିଲା

  77. Couplet 77

    ମୁନିଜନଙ୍କ ଆଶୀର୍ବାଦେଜୟମଙ୍ଗଳ ବେଦନାଦେ

  78. Couplet 78

    ବିମାନ ପ୍ରଦକ୍ଷିଣ କରିବିଷ୍ଣୁଦୂତଙ୍କୁ ନମସ୍କାର

  79. Couplet 79

    ହିରଣ୍ୟମୟ ରୂପ ଧରେସ୍ୱତେଜେ ଦଶଦିଗ ପୂରେ

  80. Couplet 80

    ଗନ୍ଧର୍ବ ଚତୁର୍ବିଧ ବାଦ୍ୟେଦିଗ ପୂରିଲେ ଗୀତ ନାଦେ

  81. Couplet 81

    ପୁଷ୍ପ ବରଷନ୍ତି ହରଷେବିବୁଧେ ଦେଖନ୍ତି ଆକାଶେ

  82. Couplet 82

    ତକ୍ଷଣେ ସୁନୀତିର କଥାସ୍ମରଣେ ଧ୍ରୁବ ମନେ ବ୍ୟଥା

  83. Couplet 83

    ଦୁଃଖିନୀ ମୋହର ଜନନୀତାହାକୁ ତେଜି ମୁହିଁ ପୁଣି

  84. Couplet 84

    ଯିବି ମୁଁ ସ୍ୱର୍ଗକୁ କି ରୂପେଦୂତେ ଜାଣିଲେ ତା ସଙ୍କଳ୍ପେ

  85. Couplet 85

    ବୋଇଲେ ଦେଖ ଭକ୍ତାଗ୍ରଣୀଅଗ୍ରେ ବିମାନେ ତୋ ଜନନୀ

  86. Couplet 86

    ତା ଶୁଣି ଚିତ୍ତ କଲା ସ୍ଥିରସେ ବିଷ୍ଣୁଭକ୍ତଙ୍କର ବର

  87. Couplet 87

    ସୁନୀତି ଜନନୀ ସହିତେବସିଲେ ରତ୍ନମୟ-ରଥେ

  88. Couplet 88

    ବିମାନ ଯାନ୍ତେ ସ୍ୱର୍ଗପଥେଦେବେ ଯେ ବସି ନିଜ ରଥେ

  89. Couplet 89

    ଧ୍ରୁବକୁ ଦେଖି ପ୍ରଶଂସନ୍ତିକେ ବା ଆନନ୍ଦେ କରେ ସ୍ତୁତି

  90. Couplet 90

    ଏମନ୍ତେ ପୁଷ୍ପ ବୃଷ୍ଟି-ପଥେଗ୍ରହଙ୍କୁ ଦେଖିଳେ ଅଗ୍ରତେ

  91. Couplet 91

    ତ୍ରୈଲୋକ୍ୟ ଜିଣି ଦିବ୍ୟଯାନେମୁନିଙ୍କି ଦେଖିଲା ବିମାନେ

  92. Couplet 92

    ମୁନିଙ୍କି ନମିଣ ଆନନ୍ଦେବିଜୟେ କଲା ବିଷ୍ଣୁପଦେ

  93. Couplet 93

    ସେ ବିଷ୍ଣୁପଦର ମହିମାକେ କହିପାରେ ଗୁଣସୀମା

  94. Couplet 94

    ଯେ ପ୍ରାଣୀ ଶାନ୍ତ ସମଦୃଶଅଶେଷ ଜନ୍ତୁଙ୍କ ବିଶ୍ୱାସ

  95. Couplet 95

    ହରି-ଚରଣେ ଚିତ୍ତ ଯାରସୁଶାନ୍ତ ସମବୁଦ୍ଧି ତାର

  96. Couplet 96

    ସେ ପ୍ରାଣୀ ସେ ପୁରେ ପଶନ୍ତିମାୟା-ବନ୍ଧନୁ ନିସ୍ତରନ୍ତି

  97. Couplet 97

    ଏଣୁ ଉତ୍ତାନପାଦ ସୁତବିଷ୍ଣୁର ପରମ ଭକତ

  98. Couplet 98

    ସକଳଲୋକ ଚୂଡାମଣିନିର୍ମଳ ବୋଲି ଯାକୁ ଗଣି

  99. Couplet 99

    ସେ ଧ୍ରୁବ ବସିଲା ଯେ ସ୍ଥାନେତା ଗୁଣ ଗୁଣ ସାବଧାନେ

  100. Couplet 100

    ଗଭୀର ବେଗେ କାଳଚକ୍ରେବାୟୁ ରସନା ଅତିରେକେ

  101. Couplet 101

    ଗ୍ରହ ନକ୍ଷତ୍ର ତାରାଗଣେଭ୍ରମନ୍ତି ମେଧି ଆକର୍ଷଣେ

  102. Couplet 102

    ତାର ମହିମା ଯଶ ଘୋଷିବୀଣା-ଶବଦେ ଦେବଋଷି

  103. Couplet 103

    ପ୍ରଚେତାଗଣ ସଙ୍ଗେ ଥାଇନୃତ୍ୟ କରନ୍ତି ଗୀତ ଗାଇ

  104. Couplet 104

    ଧ୍ରୁବର ଯଶ-ଗୁଣ-ବୃନ୍ଦସେ ଯଜ୍ଞେ କହନ୍ତି ନାରଦ

  105. Couplet 105

    କି ପତିବ୍ରତା ଏ ସୁନୀତିକି ବା ତା ସୁତ ଧ୍ରୁବ ଗତି

  106. Couplet 106

    କିବା ତା ତପର ପ୍ରଭାବବେଦବାଦୀଙ୍କି ଅସମ୍ଭବ

  107. Couplet 107

    ସେ ତପେ ହରିଙ୍କି ତୋଷିଲାଜନନୀ ସଙ୍ଗେ ସ୍ୱର୍ଗେ ଗଲା

  108. Couplet 108

    ଶୁଣ ହେ ବ୍ୟାସଙ୍କ କୁମରସାଧୁଜନଙ୍କ ମଧ୍ୟେ ବର

  109. Couplet 109

    ତୁ ଯଶୁ ପଚାରିଲୁ ମୋତେଧ୍ରୁବ-ଚରିତ ଭାଗବତେ

  110. Couplet 110

    ଉତ୍ତମ-ଯଶା ଧ୍ରୁବ ବାଣୀଯେ ଏହା ଏକମନେ ଶୁଣି

  111. Couplet 111

    ବିସ୍ତାରି କହେ ସାଧୁମେଳେବସଇ ବୈଷ୍ଣବ-ମଣ୍ତଳେ

  112. Couplet 112

    ଯଶ ଆୟୁଷ ଧନ ମାନସ୍ୱର୍ଗେ ନିବାସ ସ୍ୱସ୍ତ୍ୟୟନ

  113. Couplet 113

    ବିଘ୍ନ-ସମୂହେ ନାହିଁ ଭ୍ରାନ୍ତିସକଳ-କ୍ଳେଶୁ ନିସ୍ତରନ୍ତି

  114. Couplet 114

    ବିଷ୍ଣୁ-ସମୀପେ ପ୍ରାତଃକାଳେଗୋବିନ୍ଦ-ଭକ୍ତିଭାବ ଭୋଳେ

  115. Couplet 115

    ପୂଣ୍ଣିମା ଅମାବାସ୍ୟା ଦିନେଦ୍ୱାଦଶୀ ଶ୍ରବଣା ବିଧାନେ

  116. Couplet 116

    ଦିବସ-କ୍ଷୟ ବ୍ୟତିପାତେସଙ୍କ୍ରାନ୍ତି ଅର୍କବାର ଯୁତେ

  117. Couplet 117

    ଶ୍ରଦ୍ଧା ପୂର୍ବକ ଯେ ପଢ଼ନ୍ତିଅଥବା ଶ୍ରବଣେ ଶୁଣନ୍ତି

  118. Couplet 118

    ଜ୍ଞାନ-ସନ୍ତୋଷ ପ୍ରାଣୀଙ୍କରଚତୁରବର୍ଗ ନୋହେ ଦୂର

  119. Couplet 119

    ସକାମ-ଚିତ୍ତେ ଚିନ୍ତେ ଯେବେଶୁଣନ୍ତି ଧନ-ପୁତ୍ର ଲଭେ

  120. Couplet 120

    କୁଳେ ସୁପୁତ୍ର ହୋଏ ଜାତଯେ ଶୁଣେ ଧ୍ରୁବର ଚରିତ

  121. Couplet 121

    ସଂସାର-ଜନଙ୍କର ହିତେପୁରାଣ କଲି ଗୀତ କୃତେ

  122. Couplet 122

    କହଇ ଦାସ ଜଗନ୍ନାଥଚତୁଥସ୍କନ୍ଧେ ଭାଗବତ

Odia Bhagabata skandha 4 adhyaya 14 | Parbani by ParibhaAsha App