Skip to content
paribhaasha

Skandha 4

Adhyaya 10

  1. Couplet 1

    ବିଷ୍ଣୁ-କର ସ୍ପରଶେ ଧ୍ରୁବର ଧ୍ରୁବମତିଶ୍ରୀହରି ଚରଣ ଚାହିଁ ଆରମ୍ଭିଲା ସ୍ତୁତି

  2. Couplet 2

    ହର ପ୍ରଜାପତି ଯା ଶରୀରୁ ଜାତ ହୋଇପାଳନ-ସଂହାର କରେ ଯାର ଆଜ୍ଞା ପାଇ

  3. Couplet 3

    ତୁହି ସେ ହିରଣ୍ୟଦାତା ତୁ ହିରଣ୍ୟତ୍ରାତାନମସ୍ତେ ହିରଣ୍ୟରୂପ ସୁଖମୟ ଧାତା

  4. Couplet 4

    ହିରଣ୍ୟକଶ୍ୟପ ବପୁ ନଖେ ବିଦାରଣମାୟାଭୂତଙ୍କର ଆତ୍ମା ବହୁ ତୁ କାରଣ

  5. Couplet 5

    ଏଣୁ ଭୂତଙ୍କର ଗତି-ପତି ରୂପ ହୋଇସ୍ଥିତି ହେତୁ ବିଷ୍ଣୁ -ଗର୍ଭ ବିଷ୍ଣୁ ରୂପ ବହି

  6. Couplet 6

    ଶ୍ରୀକୃଷ୍ଣ ଜଳଦଶ୍ୟାମ ରୂପ ଯେ ତୋହରମହାଭାରା-ସହିଷ୍ଣୁ ତୁ କୂର୍ମରୂପ-ଧର

  7. Couplet 7

    ଅସୁର-ଅରଣ୍ୟେ ମହାଦାବାନଳ ରୂପେଦୈତ୍ୟ-ଦ୍ରୁମ ଛେଦନେ କୁଠାର ବହୁ ଦର୍ପେ

  8. Couplet 8

    ଶାର୍ଙ୍ଗଧନୁ କରେ ଧରି ରିପୁବଳ ନାଶିକୌମୋଦକୀ ଗଦା ତେଜେ କଉଣପ ଧ୍ୱଂସି

  9. Couplet 9

    ମହାଦନୁଜ ନାଶନେ ନନ୍ଦକ ଧାରଣନମୋ ଲକ୍ଷ୍ମୀପତି ଦକ୍ଷକରେ ସୁଦର୍ଶନ

  10. Couplet 10

    ବାସୁଦେବ ନମୋ ନମୋ ଦେବକୀନନ୍ଦନସଙ୍କର୍ଷଣ ଅନିରୁଦ୍ଧ ଅବ୍ୟକ୍ତ କାରଣ

  11. Couplet 11

    ନମୋନମୋ ଯଜ୍ଞେଶ୍ୱର ପରମକାରଣନମସ୍ତେ ନମସ୍ତେ ପ୍ରଭୁ କେଶୀ ବିମର୍ଦ୍ଦନ

  12. Couplet 12

    କଂସ-ବିନାଶନ ଯେ ଚାଣୂର ପ୍ରାଣହାରୀନିଗୂଢ଼-ବନ୍ଧନୁ ମାତା ପିତାଙ୍କୁ ଉଦ୍ଧରି

  13. Couplet 13

    ଦାମୋଦର ହୃଷୀକେଶ ଗୋବିନ୍ଦ ଅଚ୍ୟୁତମାଧବ ଉପେନ୍ଦ୍ର ଯେ କୈଟଭ-ପ୍ରାଣହତ

  14. Couplet 14

    ନାରାୟଣ ନରକ-ନାଶନ ପାପହାରୀବାମନକୁ ନମୋ ନମ ନମୋ ଗଦାଧାରୀ

  15. Couplet 15

    ଅନନ୍ତାୟ ଅନନ୍ତ ଶୟନେ ବନମାଳୀରୁକ୍ମିଣୀବଲ୍ଲଭ ରୁକୁ-ଦର୍ପ ହେଳେ ବଳି

  16. Couplet 16

    ଶିଶୁପାଳ ପ୍ରାଣହର ଅସୁରଦଳନଦାନବ ଅନ୍ତକ ଜୟ କୃଷ୍ଣ ନାରାୟଣ

  17. Couplet 17

    ମୁକୁନ୍ଦ ପରମାନନ୍ଦ ନନ୍ଦ-ଗୋପବାଳନମସ୍ତେ ପୁଣ୍ତରୀକାକ୍ଷ ଦନୁଜେନ୍ଦ୍ର କାଳ

  18. Couplet 18

    ନମୋ ଗୋପରୂପ-ଧର ବେଣୁବାଦ୍ୟକାରୀଗୋପୀପ୍ରିୟ କେଶୀରିପୁ ଗୋବର୍ଦ୍ଧନଧାରୀ

  19. Couplet 19

    ରାମ ରଘୁନାଥ ଯେ ରାବଣ-ପ୍ରାଣହାରୀବିଭୀଷଣ-ଶର ଅଭୟ-ପଦକାରୀ

  20. Couplet 20

    ଅଜୟ ତୁ ଜୟରୂପେ ରଣରଙ୍ଗେ ବୀରଯୋଗ ଆଦି କାଳକଳ୍ପେ ନାନାରୂପ ଧର

  21. Couplet 21

    ମାୟାବୀଙ୍କ ଗୁରୁ ଗଦା-ଚକ୍ର କରେ ଶୋହେଦୈତ୍ୟଚକ୍ର-ବିମର୍ଦ୍ଦନ ବିଶ୍ୱରୂପ ବହେ

  22. Couplet 22

    ବଳେ ବଳଭଦ୍ର ନାମ ବଳାରାତି-ପ୍ରିୟବଳିଯଜ୍ଞ ଭଞ୍ଜନ ଭକତ-ସ୍ନେହମୟ

  23. Couplet 23

    ରଣପ୍ରିୟ ହିରଣ୍ୟକଶିପୁ ବିଦାରଣନମସ୍ତେ ପରମବ୍ରହ୍ମ ନମୋ ନାରାୟଣ

  24. Couplet 24

    ସତ୍ୟଗୁଣେ ଧର୍ମରୂପ ଧରୁ ଅନ୍ତରୀକ୍ଷେସକଳ ଜଗତ-ଜୀବ ପାଳୁ ତୁ ପ୍ରତ୍ୟକ୍ଷେ

  25. Couplet 25

    ସହସ୍ର-ଶୀର୍ଷ ନମସ୍ତେ ସହସ୍ରବଦନସହସ୍ର-ବାହୁ ନାସିକା ସହସ୍ର-ଶ୍ରବଣ

  26. Couplet 26

    ସର୍ବଭୂତ ଅନ୍ତଶ୍ଚକ୍ଷୁ ସହସ୍ର-ଚରଣଦିବସେ କିରଣ ରୂପ ସହସ୍ର-କିରଣ

  27. Couplet 27

    ସହସ୍ର-ମୂରତି ଲକ୍ଷ୍ମୀକାନ୍ତ ଦିବ୍ୟଦେହସୁଯଜ୍ଞ-ପୁରୁଷ ତୁ ସକଳ-ହବିର୍ବହ

  28. Couplet 28

    ତୋହର ସ୍ୱରୂପ ବେଦପୁରୁଷେ ଜାଣନ୍ତିବେଦପ୍ରିୟ ବୋଲି ତୋତେ କରୁଥାନ୍ତି ସ୍ତୁତି

  29. Couplet 29

    ଦେବଙ୍କ ବଚନେ ଦେବ ବେଦବିଦ୍ୟା ତୁହିସଦାଚାର-ମାର୍ଗେ ତୋର ଗମନ ଅଟଇ

  30. Couplet 30

    ନମୋ ବଇକୁଣ୍ଠ ରୂପ ବିକୁଣ୍ଠ-ନନ୍ଦନବଇକୁଣ୍ଠବାସୀ ନିର୍ବିକାର ନିରଞ୍ଜନ

  31. Couplet 31

    ନମସ୍ତେ ଶ୍ରୀବିଷ୍ଣୁ ନମୋ ଗରୁଡ-ବାହନବିଶ୍ୱକ୍‌ସେନ ନମୋ ଜଗନ୍ନାଥ ଜନାର୍ଦ୍ଦନ

  32. Couplet 32

    ତ୍ରିବିକ୍ରମ ପାଦେ ନମୋ ନମ ସତ୍ୟପ୍ରିୟମାୟା ବିଶ୍ୱରୂପ ତୁ କେଶବ ଦିବ୍ୟଦେହ

  33. Couplet 33

    ନମ ତପସ୍କର ତପରୂପ ତୋ ଶରୀରତପଫଳ-ସିଦ୍ଧିଦାତା ତୁ ସେ ଦାମୋଦର

  34. Couplet 34

    ସ୍ତୁତିର ନିଧାନ ସ୍ତୁତି-ଦେବ ସ୍ତୁତିପ୍ରିୟଭକ୍ତ-ସ୍ତୁତି-ନିହିତ ତୋହର ନିଜ ଦେହ

  35. Couplet 35

    ନମ ଶ୍ରୁତିପ୍ରିୟ ସତ୍ୟାଚାର ଜଗନ୍ନାଥଶ୍ରୁତିଜ୍ଞାନ-ସମ୍ପାଦିତ ତୋର ନିଜ ଗାତ୍ର

  36. Couplet 36

    ଭକତବତ୍ସଳ କୃଷ୍ଣ ଜୟ ଯୁଗରୂପୀଚତୁଃରୂପେ ଚଉଦଭୁବନେ ଦେହବ୍ୟାପୀ

  37. Couplet 37

    ଦେବଗଣ ମଧ୍ୟେ ତୁ ବୋଲାଉ ସୁନାସୀରନବଗ୍ରହ ମଧ୍ୟେ ତୁ ବୋଲାଉ ଦିବାକର

  38. Couplet 38

    ଚତୁର୍ଦ୍ଦଶ ଲୋକେ ବ୍ରହ୍ମଲୋକ ତୋ ଶରୀରସପତ-ଜଳଧି ମଧ୍ୟେ କ୍ଷୀରସିନ୍ଧୁ ସାର

  39. Couplet 39

    ନଦୀଙ୍କର ମଧ୍ୟେ ଗଙ୍ଗା ସର୍ବପାପହରସରୋବର ମଧ୍ୟେ ତୁହି ମାନସରୋବର

  40. Couplet 40

    ଗିରି ମଧ୍ୟେ ହିମାଳୟ ଏ ତୋହର ତନୁଧେନୁଙ୍କ ମଧ୍ୟରେ ତୁ ବୋଲାଉ କାମଧେନୁ

  41. Couplet 41

    ଧାତୁ ମଧ୍ୟେ ସୁବର୍ଣ୍ଣ ସ୍ପଟିକ ପ୍ରାୟ ଦେହପୁଷ୍ପଙ୍କର ମଧ୍ୟେ ନୀଳୋତ୍ପଳ ପ୍ରାୟେ କାୟ

  42. Couplet 42

    ସର୍ବଶାଖା ମଧ୍ୟେ ତୁ ଯେ ତୁଳସୀ ବୋଲାଉଶିଳାଙ୍କର ମଧ୍ୟେ ଶାଳଗ୍ରାମ ରୂପ ବହୁ

  43. Couplet 43

    ମୁକ୍ତିକ୍ଷେତ୍ର ମଧ୍ୟେ ବାରାଣସୀ ତୋର ନାମତୀର୍ଥଙ୍କର ମଧ୍ୟେ ତୁ ପ୍ରୟାଗ ନିଜ ଧାମ

  44. Couplet 44

    ବର୍ଣ୍ଣଙ୍କର ମଧ୍ୟେ ଶୁକ୍ଳବର୍ଣ୍ଣ ରୂପ ତୋରମନୁଷ୍ୟଙ୍କ ମଧ୍ୟେ ତୁ ବୋଲାଉ ବିପ୍ରବର

  45. Couplet 45

    ପକ୍ଷୀଙ୍କର ମଧ୍ୟେ ତୁ ବିନତାସୁତ ହରିବ୍ୟବହାରେ ରହୁ ତୁ ବଚନ ରୂପ ଧରି

  46. Couplet 46

    ବେଦବାକ୍ୟ ମଧ୍ୟେ ବ୍ରହ୍ମଭାଗ ତୋ ଶରୀରମନ୍ତ୍ରଙ୍କର ମଧ୍ୟରେ ତୁ ପ୍ରଣବ ଓଁକାର

  47. Couplet 47

    ଅକ୍ଷରଙ୍କ ମଧ୍ୟେ ତୁ ଅ କାର ଉଚ୍ଚାରଣଯଜ୍ଞଙ୍କର ମଧ୍ୟେ ସୋମରୂପ ତୁ କାରଣ

  48. Couplet 48

    ପ୍ରଭାଙ୍କର ମଧ୍ୟେ ଅଗ୍ନିଦେବଙ୍କ ବଦନକ୍ଷମାବନ୍ତ ମଧ୍ୟେ ତୁମ୍ଭେ ଯେ ସର୍ବସହନ

  49. Couplet 49

    ଦାତାଙ୍କର ମଧ୍ୟେ ଘନରୂପୀ ଶୂନ୍ୟବାସୀପବିତ୍ରଙ୍କ ମଧ୍ୟେ ତୁ ବୋଲାଉ ପୁଣ୍ୟରାଶି

  50. Couplet 50

    ସର୍ବଶସ୍ତ୍ର ମଧ୍ୟେ ଧନୁରୂପ ତୋ ଶରୀରବେଗବନ୍ତ ମଧ୍ୟେ ତୁମ୍ଭେ ବୋଲାଅ ସମୀର

  51. Couplet 51

    ଇନ୍ଦ୍ରିଗଣ ମଧ୍ୟରେ ତୁ ମନ ନିର୍ଚିକାରସର୍ବବ୍ୟାପୀ ମଧ୍ୟେ ବ୍ୟୋମ ଅତି ଅଗୋଚର

  52. Couplet 52

    ଆତ୍ମାଙ୍କର ମଧ୍ୟେ ତୁ ପରମଆତ୍ମା ହେଉସର୍ବକର୍ମ ମଧ୍ୟେ ପୂର୍ବସନ୍ଦ୍ୟା ତୁ ବୋଲାଉ

  53. Couplet 53

    ଯଜ୍ଞ ମଧ୍ୟେ ଅଶ୍ୱମେଧ ନାମଦ ନିର୍ଭୟଲାଭଙ୍କର ମଧୋ ପୁତ୍ରଲାତ ତୁ ଉଦୟ

  54. Couplet 54

    ଯୁଗଙ୍କର ମଧ୍ୟେ ତୁପ୍ରଥମ ସତ୍ୟଯୁଗଷଡଋତୁ ମଧ୍ୟେ ତୁ ବସନ୍ତ ବଲଭୋଗ

  55. Couplet 55

    ପଞ୍ଚଦଶ-ତିଥି ମଧ୍ୟେ କୁହୁ ତୁ ବୋଲାଉନକ୍ଷତ୍ରଙ୍କ ମଧ୍ୟେ ପୁଷ୍ୟା ରୂପେ ଉଦେ ହେଉ

  56. Couplet 56

    ପଞ୍ଚପର୍ବ ମଧ୍ୟେ ତୁ ବୋଲାଉ ସଙ୍କ୍ରମଣଯୋଗେ ବ୍ୟତିପାତ ତୃଣ ମଧ୍ୟେ ଦର୍ଭ ପୁଣ

  57. Couplet 57

    ସର୍ବବୃକ୍ଷ ମଧ୍ୟେ ତୁ ଅଶ୍ୱତ୍ଥ ବାସୁଦେବଲତାଙ୍କର ମଧ୍ୟେ ସୋମଲତା ପଦ୍ମନାଭ

  58. Couplet 58

    ସର୍ବମନ୍ତ୍ର ମଧ୍ୟେ ତୁ ପ୍ରଥମ ପ୍ରାଣାୟମସର୍ବଲିଙ୍ଗ ମଧ୍ୟେ ବିଶ୍ୱେଶ୍ୱର ତୋର ନାମ

  59. Couplet 59

    ସର୍ବକର୍ମ ଉପରେ ନିର୍ବାଣଦାତା ତୁହିସର୍ବବୁଦ୍ଧି ମଧ୍ୟେ ଧର୍ମବୁଦ୍ଧି ତୁ ଗୋସାଇଁ

  60. Couplet 60

    ମିତ୍ର ମଧ୍ୟେ ପତ୍ନୀ ତୁହି ବନ୍ଧୁ ମଧ୍ୟେ ଧର୍ମଚରାଚର ମଧ୍ୟେ ନାହିଁ ତୋହ ତହୁଁ ଆନ

  61. Couplet 61

    ତୁ ସେ ମାତାପିତା ବନ୍ଧୁ ତୁ ସେ ମହାଧନସର୍ବ ସୁଖ ସମ୍ପଦ ତୁ ଜୀବର ଜୀବନ

  62. Couplet 62

    ତାହାକୁ ସେ କଥା ବୋଲି ଯହିଁ ତୋର ନାମସେ ମନକୁ ମନ ବୋଲି ଯହିଁ ତୋର ଧ୍ୟାନ

  63. Couplet 63

    ଯେ କର୍ମ ତୋହର ଅର୍ଥେ କରି ସେହି କର୍ମତାହା ଛାଡି ଅନ୍ୟମାର୍ଗେ ଯେତେ କରି ଭ୍ରମ

  64. Couplet 64

    ତୁମ୍ଭର ସ୍ମରଣକୁ ଯେ ବୋଲି ଘୋରତପଧନ୍ୟ ଧନ୍ୟ ବୋଲି ଯେ ସେବନ୍ତି ତୋର ରୂପ

  65. Couplet 65

    ତୋର କାର୍ଯ୍ୟ ଅର୍ଥେ ଯେତେ ବେଳ ଯାଇ ବହିସର୍ବ-ଶୂନ୍ୟ-ମାର୍ଗେ ଯାଇ ତେତେମାତ୍ର ରହି

  66. Couplet 66

    ଯେତେବେଳେ ଧ୍ୟାନମତେ ହୃଦେ ରହୁ ତୁହିତେତେବେଳେ ଜୀବନର ସୁଫଳ ଫଳଇ

  67. Couplet 67

    ତବ ପାଦ-ଉଦକ ସକଳ-ବ୍ୟାଧି ହରେଧର୍ମ-ଅର୍ଥ-କାମ-ମୋକ୍ଷ ଚତୁର୍ବର୍ଗ ସ୍ଫୁରେ

  68. Couplet 68

    ବହୁ-ଜନ୍ମାନ୍ତରେ ଯେ ଅର୍ଜିତ ପାପଫଳତୋର ନାମେ ଦହେ ଯେହ୍ନେ ବନେ ଦାବାନଳ

  69. Couplet 69

    ବାସୁଦେବ-ସ୍ମରଣେ ଯାହାର ଅନ୍ୟ-ମତିକେବେହେଁ ନ ଲଭେ ନାଥ ଆତ୍ମା ସଦଗତି

  70. Couplet 70

    ପ୍ରାଣୀଙ୍କର ମାୟାମୋହ ପ୍ରମାଦଟି ସେହିକୃଷ୍ଣକଥା ଛାଡି ଅନ୍ୟେ ପୀରତି କରଇ

  71. Couplet 71

    ସେହିଟି ମଙ୍ଗଳ ମହାଧନ-ଅରଜନଜୀବନର ସୁଗତିଟି ଗୋବିନ୍ଦ-କୀର୍ତ୍ତନ

  72. Couplet 72

    ଧର୍ମ-ଅର୍ଥ-କାମ-ମୋକ୍ଷ ହରି-ଉଚାରଣେଯାବତ ଜୀବନ ରହେ ପରମ-କାରଣେ

  73. Couplet 73

    ଏହି ପାପ-ଦୁଃଖମୟ ଅନିତ୍ୟ ସଂସାରେବାସୁଦେବ ସ୍ତୁତି ଛାଡି ଯେ ଅନ୍ୟ ଉଚ୍ଚାରେ

  74. Couplet 74

    ହରି ଆରାଧନ ଜ୍ଞାନ ଯେ କରେ ସଂସାରେପୁତ୍ର ମିତ୍ର କଳତ୍ର ତା ମୋକ୍ଷ ଅଧିକାରେ

  75. Couplet 75

    କଳୁଷ ହରଇ ଆଧିବ୍ୟାଧି ନାଶ କରେଧର୍ମଜ୍ଞାନ ପ୍ରସରଇ ଯେବା ଅନୁସରେ

  76. Couplet 76

    ତୋହୋର ଚରଣଯୁଗେ ଯେବା ଆଶ୍ରେ କରେସାଧୁଜନ ପ୍ରସଙ୍ଗରେ ସର୍ବପାପହରେ

  77. Couplet 77

    ଅଜ୍ଞାନେ ଅନଳ ଯେହ୍ନେ ଶରୀର ଦହଇବିମନେ ଶୁଣିଲେ ନାମ ଦୁରିତ ନାଶଇ

  78. Couplet 78

    ଏହିଟି ପରମଧର୍ମ ଏ ପରମତେଜଯାର ଦେହେ ନିତ୍ୟେ ଲାଗେ ହରିପାଦରଜ

  79. Couplet 79

    ଭକ୍ତିଯୋଗେ ବିଷ୍ଣୁର ନିର୍ମାଲ୍ୟ ଯେ ଭକ୍ଷଇଅଶେଷ କୋଟି ଜନ୍ମ ପାପକୁ ନାଶଇ

  80. Couplet 80

    ବିଷ୍ଣୁ-ପାଦୋଦକ ଶଙ୍ଖେ ଭରି ସ୍ନାନ କରେଗଙ୍ଗାସ୍ନାନ ଦାଦ ଫଳ ଲଭଇ ସତ୍ୱରେ

  81. Couplet 81

    ଶାଳଗ୍ରାମ ଶିଳା ଯେ ତୁଳସୀ ଦଳେ ପୂଜେପାରିଜାତ ମାଳା ହୃଦେ ବସେ ସ୍ୱର୍ଗରାଜ୍ୟେ

  82. Couplet 82

    ବିପ୍ର ଆଦି ଚାରିବର୍ଣ୍ଣ ଅନ୍ୟ ଜାତି ଯେତେସକଳେ ପୂଜା କରନ୍ତି ବିଷ୍ଣୁର ଭକତେ

  83. Couplet 83

    ଶଙ୍ଖ-ବକ୍ରାଙ୍କିତ ଯାର ତନୁ ନିତ୍ୟେ ଶୋହେଗୋପୀଚନ୍ଦନ ଅଙ୍କିତ ନିତ୍ୟେ ପାପ ଦହେ

  84. Couplet 84

    ନିତ୍ୟେ ହେ ଦ୍ୱାଦଶଚିତା ଚକ୍ରାଙ୍କିତ ତୁଲେଅଚିନ୍ତ୍ୟ ବୈକୁଣ୍ଠପୁରେ ସ୍ଥାନ ଲଭେ ହେଳେ

  85. Couplet 85

    ତୁଳସୀବନ ଯେ ରୋପେ ବିଷ୍ଣୁପୂଜା ଅର୍ଥେତାର ଗୃହେ ପ୍ରବେଶ ନ ହୋନ୍ତି ଯମଦୂତେ

  86. Couplet 86

    ନିରନ୍ତରେ ବୋଲଇ ଯେ ରାମ କୃଷ୍ଣ ହରିସାଧୁଜନ ଦେଖିଣ ଆନନ୍ଦେ ସବୋକରି

  87. Couplet 87

    ଲଲାଟେ ଗୋପୀଚନ୍ଦନ ମୁଖେ କୃଷ୍ଣ ହରିତୁଳସୀ-ମଞ୍ଜରୀମାଳା ଯେବା କଣ୍ଠେ ଧରି

  88. Couplet 88

    ଯମଦୂତେ ନୁହଁନ୍ତି ତାହାକୁ ଅଧିକାରୀସ୍ୱାମୀର ବଚନ ଦୃଢ଼ଚିତ୍ତେ ଶିରେ ଧରି

  89. Couplet 89

    ଶ୍ରୀଗୋପୀଚନ୍ଦନ ଯେ ତୁଳସୀ ଶାଳଗ୍ରାମଶଙ୍ଖ ଚକ୍ରାଙ୍କିତଶିଳା ସହିତେ ପଞ୍ଚମ

  90. Couplet 90

    ଏହି ପଞ୍ଚଦ୍ରବ୍ୟ ଯାର ନିତ୍ୟେ ରହେ ଗୃହେତାହାକୁ ଦେଖନ୍ତେ ପାପ ବେଗେ ନାଶ ଯାଏ

  91. Couplet 91

    ଗୋବିନ୍ଦ ପରମାନନ୍ଦ ଶ୍ରୀମଧୁସୂଦନତୋହର ଚରଣବିନୁ ନ ଜାଣଇ ଆନ

  92. Couplet 92

    ଜଳ ସ୍ଥଳ ପାତାଳ ସମୂହେ ନିରନ୍ତରବିଦ୍ୟାଧର ସୁରାସୁର ଗନ୍ଧର୍ବ କିନ୍ନର

  93. Couplet 93

    ତୃଣ ଗୁଳ୍ମ ଲତା ତରୁ ପାଷାଣ ସହିତେସର୍ବତ୍ର ସମାନରୂପ ଦେଖୁ ଅବିରତେ

  94. Couplet 94

    ପ୍ରଣୀଦେହେ ଅନ୍ତର୍ଯ୍ୟାମୀ ରୂପେ ତୁମ୍ଭେ ଅଛଏହି ରୂପେ ସର୍ବଦିଗେ ଦେଖଇ ପ୍ରତ୍ୟକ୍ଷ

  95. Couplet 95

    ଏଣୁ ତୋଚରଣେ ପୁଣପୁଣନମସ୍କାରବୁଡିଲି ମୋହସଂସାରେ ବାରେକ ଉଦ୍ଧର

  96. Couplet 96

    ନମାମି ଗୋବିନ୍ଦ ନାରାୟଣ ଦାମୋଦରବନମାଳୀ ବାସୁଦେବ ନମୁଁ ତୋ ପୟର

  97. Couplet 97

    ପାଦପଦ୍ମ ତଳେ ନାଥ ଶରଣ ମୁଁ ତୋରଏ ଭବସାଗରୁ ପ୍ରଭୁ ଉଦ୍ଧରିଣ ଧର

  98. Couplet 98

    ଏତେ ସ୍ତୁତି କରି ଧ୍ରୁବ ମଉନେ ରହିଲାନିଶ୍ଚଳେ ଗୋବିନ୍ଦ-ପାଦେ ଚିତ୍ତ ସମର୍ପିଲା

  99. Couplet 99

    ତାହାର ଭକତିଭାବ ଗୋବିନ୍ଦ ଜାଣିଲେଗରୁଡୁ ଉତୁରି ଧ୍ରୁବ ଛାମୁରେ ମିଳିଲେ

  100. Couplet 100

    ଧ୍ରୁବକୁ ଲଗାଇ ହୃଦେ କମଳାରମଣକହନ୍ତି ମଧୁରବାକ୍ୟେ ପ୍ରଭୁ ନାରାୟଣ

  101. Couplet 101

    ଶୁଣ ହୋ ବାଳକ ମୁଁ ଜାଣଇ ତୋର ମନଘୋରତପ କଲୁ ଶୁଣି ଜନନୀ-ବଚନ

  102. Couplet 102

    ତୋର ମନ-ବାଞ୍ଚିତ ଜାଣଈ ମୁହିଁ ଭଲେଧ୍ରୁବଲୋକେ ବସାଇବି ଜନନୀର ତୁଲେ

  103. Couplet 103

    ଧ୍ରୁବଲୋକେ ଅଧିକାର ତୋହର ହୋଇଲାକୋଟି-କଳ୍ପାନ୍ତରେ ଯାହା କେହି ନ ପାଇଲା

  104. Couplet 104

    ତୋର ପିତୃ-ପିତାମହେ ଅଗୋଚର ସ୍ଥାନସେ ସ୍ଥାନେ ତୋ ବିନୁ ବାଳ ବସିବ କେ ଆନ

  105. Couplet 105

    ସ୍ୱର୍ଗଲୋକ ଉର୍ଦ୍ଧ୍ୱଦେଶେ ମହଲୋକ ତଳେତ୍ରୈଲୋକ୍ୟ-ପ୍ରଳୟ କାଳେ ନ ଦହେ ଅନଳେ

  106. Couplet 106

    ଶିଶୁମାରଚକ୍ରେ ବସେ ଧ୍ରୁବ ଅଧିକାରଯେ ଚକ୍ର ଭ୍ରମନ୍ତେ ନିତ୍ୟେ ଭ୍ରମେ ଦିବାକର

  107. Couplet 107

    ଗ୍ରହ ଋକ୍ଷ ଋଷି ଚନ୍ଦ୍ର ତପନ ସହିତେଦାମିନୀ ବନ୍ଧନେ ଛନ୍ତି ସମୀରଣ-ତନ୍ତ୍ରେ

  108. Couplet 108

    ସେହିସ୍ଥାନେ ଗ୍ରହଚକ୍ରେ ବସ ତୁ ନିଶ୍ଚିନ୍ତେକଳ୍ପ ସଂଖ୍ୟା ରହ ମନୋରଥ ପୂର୍ଣ୍ଣ ଅନ୍ତେ

  109. Couplet 109

    ପୂର୍ବେ ମହାଦେବ-ବରେ ସେ ସ୍ଥାନ ମୋହରମୁହିଁ ଦେଲି ଧ୍ରୁବ ତୁ ନିଶ୍ଚିନ୍ତେ ଭୋଗ କର

  110. Couplet 110

    ମନୁ ଯାହା ନ ପାଇଲେ କି ଅନ୍ୟ ମାନବେଜନନୀ ସହିତେ ବାଳ ସୁଖେ ଭୁଞ୍ଜ ଏବେ

  111. Couplet 111

    ପୂର୍ବେ ତୁହି ବ୍ରହ୍ମ-ପୁତ୍ର ରାଜପୁତ୍ର ସଙ୍ଗେମିତ୍ରପଣେ ରହି ଚିତ୍ତ କଳ୍ପିଅଛୁ ଭୋଗେ

  112. Couplet 112

    ଏଣୁ ପୁଣ୍ୟବଳେ ରାଜକୁଳେ ହେଲୁ ଜନ୍ମଏବେ ତପଫଳେ ଭୁଞ୍ଜ ସମ୍ପାଦିଲା କର୍ମ

  113. Couplet 113

    ଶୁଣ ଧ୍ରୁବ ଏକଚିତ୍ତେ କହିବଇଁ ତୋତେତପସ୍ଥାନେ ରହି ସ୍ତୁତି କଲୁ ମୋତେ ଯେତେ

  114. Couplet 114

    ସର୍ବ-ସ୍ତୋତ୍ରଙ୍କର ରାଜ ଏ ସ୍ତୋତ୍ର ପ୍ରତ୍ୟକ୍ଷେଯେ ନର ଏ ସ୍ତୁତି ପଢେ ମୋହର ସମକ୍ଷେ

  115. Couplet 115

    ତ୍ରିସନ୍ଧ୍ୟା ପଢନ୍ତି ଯେବା ନିତ୍ୟେ ଇଷ୍ଟ କରିତ୍ରିବିଧ-ପାତକବନ୍ଧୁ ବେଗେ ଯାନ୍ତି ତରି

  116. Couplet 116

    ତାହାର ଭୁବନ ଲକ୍ଷ୍ମୀ କେବେହେଁ ନ ତେଜେଜନନୀ ବନ୍ଧୁ ବିଯୋଗ କେବେହେଁ ନ ଭଜେ

  117. Couplet 117

    ଏ ତୋହର ପୁଣ୍ୟସ୍ତୁତି ପାପ ବିନାଶିନୀବ୍ରହ୍ମହତ୍ୟା ଦୋଷ ହରେ ମୋର ଆଜ୍ଞା ଘେନି

  118. Couplet 118

    ଶ୍ରଦ୍ଧାଯୁକ୍ତେ ମୋର ନାମ ଯେବା ନର ପଢେସୁଖେ ମୋହଜଳୁ ତରେ କେବେହେଁ ନ ବୁଡେ

  119. Couplet 119

    ଗ୍ରହପୀଡା ମହାବ୍ୟାଧି ସର୍ବଦୁଃଖ ହରେସର୍ବତୀର୍ଥ-ସ୍ନାନ ଫଳ ଲଭେ ବସି ଘରେ

  120. Couplet 120

    ଅପୁତ୍ରିକ ପୁତ୍ର ଯେ ନିର୍ଦ୍ଧନ ଧନ ଲଭେଅଭକ୍ତ ଭକ୍ତି ଲଭଇ ତୋର ସ୍ତୁତି ଭାବେ

  121. Couplet 121

    ନାନାଦାନ ନାନାତପ ନାନାବ୍ରତ କରିଯେ ତୋହୋର ସ୍ତୁତି ପଢେ ମୋର ଭାବ ଭରି

  122. Couplet 122

    ଚତୁର୍ବର୍ଗମୁକ୍ତି ତାର କରତଳେ ରହିନିତ୍ୟେ ଯେ ଭଜନ୍ତି ମୋ ଚରଣେ ଚିତ୍ତ ଦେଇ

  123. Couplet 123

    ଏମନ୍ତ ପ୍ରସନ୍ନେ କହି ପ୍ରଭୁ ଚକ୍ରଧରସନ୍ତୋଷ ଧ୍ରୁବକୁ ଚାହିଁ ଯାଚି ଦ୍ୟନ୍ତି ବର

  124. Couplet 124

    ବୋଲନ୍ତି ମନୁର ବଂଶେ ଜନ୍ମ ଏ ତୋହରନରନାରାୟଣ ଦେବତାଙ୍କୁ ଅଗୋଚର

  125. Couplet 125

    ଏ ଶରୀର ଭୋଗେ ତୁ ଆତ୍ମାକୁ କରି ଭୋଗଆଧି-ବ୍ୟାଧି-ବର୍ଜିତ ଜୀବ ତୁ ସତ୍ୟଯୁଗ

  126. Couplet 126

    ଏ ଶରୀର ଘେନି ଧ୍ରୁବଲୋକେ ବସ ତୁହିକଳ୍ପସଂଖ୍ୟା ପ୍ରମାଣେ ଜନନୀ ସଙ୍ଗେ ଲଇଁ

  127. Couplet 127

    ଏମନ୍ତ ଧ୍ରୁବକୁ ବର ଦେଇ ଜନାର୍ଦ୍ଦନଗରୁଡ-ବାହନେ ସେ ହୋଇଲେ ଅନ୍ତର୍ଦ୍ଧାନ

  128. Couplet 128

    ବିଷ୍ଣୁବର ପାଇ ସେ ଉତ୍ତାନପାଦ-ବଳାଦିବ୍ୟରୂପ ଧରି ନିଜ ଭୁବନେ ମିଳିଲା

  129. Couplet 129

    ଜନନୀ ଚରଣେ ସେବା କଲା ଅନୁକ୍ଷଣେଅନୁଭବ ଦୁଃଖ ଗଲା ଯେତେ ଥିଲା ମନେ

  130. Couplet 130

    ପିତାର ବଲ୍ଲଭ ଦିନେ ଦିନେ ସେ ବଢ଼ଇଧ୍ରୁବର ମହିମା ଅବା କେ ଦାରିବ କହି

  131. Couplet 131

    ଏମନ୍ତ ବିଦୁର ଆଗେ ମଇତ୍ରେୟ ମୁନିକହିଲେ ଧ୍ରୁବର କଥା ହରିଭାବ ଘେନି

  132. Couplet 132

    ବିଷ୍ଣୁପଦୀ-ତୀରେ ରହି ପରୀକ୍ଷିତ ଆଗେଶୁକ ଭକ୍ତିଯୋଗ ଯେ କହିଲେ ଅନୁରାଗେ

  133. Couplet 133

    ଶ୍ରୀହରି-ଚରିତ ଏ ଅମୃତମୟ ରସଭାଗବତ-ଗୀତ କହେ ଜଗନ୍ନାଥ ଦାସ

Odia Bhagabata skandha 4 adhyaya 10 | Parbani by ParibhaAsha App