Skip to content
paribhaasha

Skandha 2

Adhyaya 7

  1. Couplet 1

    ଶୁଣ ନାରଦ ମୁନିବରଭବିଷ୍ୟ ଲୀଳା ଅବତାର

  2. Couplet 2

    ଅଶେଷଜନଙ୍କର ହିତେଶୁଣ କହିବା ତୋ ଅଗ୍ରତେ

  3. Couplet 3

    ପଦ୍ମକଳ୍ପର ଅନ୍ତେ ହରିଶୂକରରୂପେ ଅବତରି

  4. Couplet 4

    ସେ ସର୍ବ ଯଜ୍ଞମୟ ଗାତ୍ରେଧରଣୀ ଉଦ୍ଧରିବା ଅର୍ଥେ

  5. Couplet 5

    ଆଦିଅସୁର ଅବତାରପ୍ରଚଣ୍ତ ହିରଣ୍ୟାକ୍ଷ ବୀର

  6. Couplet 6

    ତାହାକୁ ମହାର୍ଣ୍ଣବ-ଜଳେଦନ୍ତେ ବିଦାରିଲେ ପାତାଳେ

  7. Couplet 7

    ବଜ୍ରେ ଯେସନେ ବଜ୍ରଧରହେଳେ ବିଦାରେ ମହୀଧର

  8. Couplet 8

    ସେ ପୁଣି ରୁଚିଋଷି ଘରେଜନ୍ମିଲେ ଆକୂତି ଉଦରେ

  9. Couplet 9

    ସେ ଯଜ୍ଞରୂପ ନରହରିଦକ୍ଷିଣା ଗର୍ଭେ ବିଜେକରି

  10. Couplet 10

    ସର୍ବଦେବଙ୍କୁ ଜାତ କଲେତ୍ରୈଲୋକ୍ୟ-ଭୟ ନିବାରିଲେ

  11. Couplet 11

    ମନୁ ଯେ ବ୍ରହ୍ମାର ନନ୍ଦନହରଷେ ଦେଲେ ହରି ନାମ

  12. Couplet 12

    କର୍ଦ୍ଦମଋଷି ଗୃହେ ପୂର୍ବେଜନ୍ମିଲେ ଦେବହୂତି ଗର୍ଭେ

  13. Couplet 13

    ତାଙ୍କ ସଙ୍ଗତେ ନବନାରୀଜନ୍ମିଲେ ଦିବ୍ୟରୂପ ଧରି

  14. Couplet 14

    ସେ ଜନ୍ମେ ଜନନୀର ଦୁଃଖଦେଖି ସଦୟ ପଦ୍ମମୁଖ

  15. Couplet 15

    ଆତ୍ମାର ଗତି ମାତାଆଗେକହିଲେ ତତ୍ତ୍ୱ-ଅନୁରାଗେ

  16. Couplet 16

    ସେ ତତ୍ତ୍ବେ ଆତ୍ମା-ଗୁଣ-ଦୋଷସେ ଦେବହୂତି କଲେ ନାଶ

  17. Couplet 17

    ତାହାଙ୍କୁ ମାୟାରୁ ଉଦ୍ଧରିକପିଳରୂପେ ତପ କରି

  18. Couplet 18

    ଅତ୍ରିର ତପ ଦେଖି ତୋଷେତକ୍ଷଣେ ମିଳି ତାର ପାଶେ

  19. Couplet 19

    ବୋଇଲେ ତୋତେ ଦେଲି ବରହୋଇବି ତୋହର କୁମର

  20. Couplet 20

    ଦତ୍ତ-ବଚନେ ଦତ୍ତ ନାମସୁନ୍ଦରେ ସମ ନୋହେ କାମ

  21. Couplet 21

    ଧରଣୀ ପର୍ଯ୍ୟଟନ କଲେଅନେକ ତପ ଆଚରିଲେ

  22. Couplet 22

    ହୈହୟ ଯଦୁ ଆଦି ରାଜାଯାର ଚରଣେ କରି ପୂଜା

  23. Couplet 23

    ଯୋଗ-ସମାଧି ସମ୍ପାଦିଲେଜନ୍ମ-ମରଣୁ ନିସ୍ତରିଲେ

  24. Couplet 24

    ସୃଷ୍ଟି-ସୃଜନେ ମନ କରିଆଦ୍ୟେ ମୁଁ ତପ ଯେ ଆଚରି

  25. Couplet 25

    ତପର ବଳେ ଭଗବାନଜାତ ହୋଇଲେ ଚତୁଃସନ

  26. Couplet 26

    ଯେ ଯୋଗ ପୂର୍ବକାଳେ ଥିଲାକଳ୍ପ-ପ୍ରଳୟେ ନାଶ ଗଲା

  27. Couplet 27

    ତାହା ଉଦ୍ଧରି ଯୋଗବଳେଧର୍ମ ରଖିଲେ ମହୀତଳେ

  28. Couplet 28

    ଦକ୍ଷକୁମାରୀ ଗର୍ଭେ ହରିଧର୍ମର ବୀର୍ଯ୍ୟେ ଅବତରି

  29. Couplet 29

    ସେ ଦକ୍ଷକନ୍ୟା ମୂର୍ତ୍ତି ନାମସର୍ବସୁନ୍ଦର ଅନୁପମ

  30. Couplet 30

    ତାର ଉଦରୁ ପୂର୍ବକଳ୍ପେଜନ୍ମିଲେ ନାରାୟଣ ରୂପେ

  31. Couplet 31

    ନର ସ୍ୱରୂପ ନର ନାମସର୍ବସୁନ୍ଦର ପୁଣ୍ୟଧାମ

  32. Couplet 32

    ନିଶ୍ଚଳ ତପ ଯୋଗଧ୍ୟାନେବସିଲେ ବଦରିକାଶ୍ରମେ

  33. Couplet 33

    ଅତି ଦୁଃସହ ତପ ଘୋରେଇନ୍ଦ୍ର କମ୍ପିଲା ସ୍ୱର୍ଗପୁରେ

  34. Couplet 34

    ତକ୍ଷଣେ ଅପସରା ଗଣେମିଳିଲେ ବଦରିକା ବନେ

  35. Couplet 35

    ଦିବ୍ୟ ସୁବେଶେ ନାନାରଙ୍ଗେଆସି ମିଳିଲେ ତପଭଙ୍ଗେ

  36. Couplet 36

    ଡୋଳେ ଉର୍ବଶୀ ରୂପ ଦେଖିଲାଜେ ହୋଇଲେ ଅଧୋମୁଖୀ

  37. Couplet 37

    କୋପନୟନେ ମୁନିଜନକାମକୁ କରନ୍ତି ଦହନ

  38. Couplet 38

    କୋପକୁ ନ ପାରନ୍ତି ଦହିକୋପ ପ୍ରବେଶ ଯହିଁ ନାହିଁ

  39. Couplet 39

    କାହୁଁ କରିବେ ତପ ନାଶବାହୁଡ଼ି ହୋଇଲେ ନିରାଶ

  40. Couplet 40

    ଉତ୍ତାନପାଦ ରାଜା କୋଳେଧ୍ରୁବବାଳକ ରସଭୋଳେ

  41. Couplet 41

    ବସିବ ବୋଲି ବିଚାରିଲାମାତା-ସପତ୍ନୀ ଝିଙ୍ଗାସିଲା

  42. Couplet 42

    ସେ ନିଜ ଜନନୀ ବଚନେଅରଣ୍ୟେ ଗଲା ଦୁଃଖମନେ

  43. Couplet 43

    ଅତି କଠୋର ତପ କଲାତାକୁ ଯେ ଧ୍ରୁବପଦ ଦେଲା

  44. Couplet 44

    ମୁନିଏ ଉର୍ଦ୍ଧ୍ୱେ ତଳେ ଥାଇଧ୍ରୁବ ତପସ୍ୟାଫଳ ଚାହିଁ

  45. Couplet 45

    ସ୍ତୁତି କରନ୍ତି ତାର ତପେଜନନୀ ଦେଖି ତା ସମୀପେ

  46. Couplet 46

    ବେଣ ଯେ ସତ୍ୟଯୁଗେ ରାଜାଅଧର୍ମେ ପାଳେ ଜନପ୍ରଜା

  47. Couplet 47

    ହରିଙ୍କି ନ ସ୍ଥାପନ୍ତେ ଭଲେବ୍ରାହ୍ମଣେ ଶାପେ ନାଶ କଲେ

  48. Couplet 48

    ରାଜା-ମାରଣେ ଅରାଜକେପ୍ରଜା ଦୁଃଖିତ ଅତିରେକେ

  49. Couplet 49

    ତା ଦେଖି ଦ୍ୱିଜେ ସ୍ତୁତି କରିତକ୍ଷଣେ ପୃଥୁରୂପ ଧରି

  50. Couplet 50

    ହରି ଜନ୍ମିଲେ ରାଜକୁଳେଭୂମିକି ଦୁହିଁ ବାହୁବଳେ

  51. Couplet 51

    ପ୍ରଜାଙ୍କୁ ଶସ୍ୟବୀଜ ଦେଲେଅନ୍ନସଙ୍କଟୁ ଉଦ୍ଧରିଲେ

  52. Couplet 52

    ନାଭିର ବୀର୍ଯ୍ୟେ ସେ ଋଷଭସୁଦେବୀ ଉଦରେ ସମ୍ଭବ

  53. Couplet 53

    କପଟେ ଜଡ଼ରୂପ ଧରିସକଳ ଯୋଗ ସାଧ୍ୟ କରି

  54. Couplet 54

    ପରମହଂସ ମୁନିଗଣେନମନ୍ତି ଯାହାର ଚରଣେ

  55. Couplet 55

    ସେ ସ୍ୱଚ୍ଛ ଶାନ୍ତ ଅନୁଗତଅଶେଷସଙ୍ଗରୁ ବିମୁକ୍ତ

  56. Couplet 56

    ପୁଣି ମୋହର ଯଜ୍ଞକାଳେମନ୍ତ୍ରେ ଉପୁଜିଲା ଅନଳେ

  57. Couplet 57

    ନର-ଶରୀର ଅଶ୍ୱଶିରସୁବର୍ଣ୍ଣବର୍ଣ୍ଣ ଜଟାଭାର

  58. Couplet 58

    ସକଳ ବେଦ ଯଜ୍ଞମୟଅଖିଳ-ଆତ୍ମା ନିଜ ଦେହ

  59. Couplet 59

    ତାର ନିଃଶ୍ୱାସୁ ବେଦ ତିନିଜନ୍ମିଲେ କର୍ମକାଣ୍ତ ଘେନି

  60. Couplet 60

    ଯୁଗାନ୍ତକାଳେ ମହାଜଳେରାଜାର ତର୍ପଣର କାଳେ

  61. Couplet 61

    ରାଜା ତାରଣେ ଦଇତାରିମିଳିଲେ ମତ୍ସ୍ୟରୂପ ଧରି

  62. Couplet 62

    ଯୁଗ-ବିପ୍ଳବେ ବେଦରାଶିଥିଲା ଯେ ମହାଜଳେ ପଶି

  63. Couplet 63

    ସେ ବେଦ ସଲିଳୁ ଉଦ୍ଧରିମନୁକୁ ଦେଲେ ନରହରି

  64. Couplet 64

    ବାସବ-ସମ୍ପଦ ଉଦ୍ଧାରେକ୍ଷୀରସମୁଦ୍ର ମନ୍ଥିବାରେ

  65. Couplet 65

    ମିଳି ସକଳ ଦେବାସୁରସମୁଦ୍ରେ ସ୍ଥାପିଲେ ମନ୍ଦର

  66. Couplet 66

    ଅଗାଧଜଳେ ମଧୁହାରୀମିଳିଲେ କୂର୍ମରୂପ ଧରି

  67. Couplet 67

    ପୃଷ୍ଠେ ବହିଲେ ଗିରିବରମନ୍ଥନ କଲେ ଦେବାସୁର

  68. Couplet 68

    ଗିରି-ଘର୍ଷଣ କଣ୍ତୁ-ସୁଖେନିଦ୍ରାନୟନ ଅଧୋମୁଖେ

  69. Couplet 69

    ଦେବଙ୍କ ଭୟ ନାଶିବାରେସେ ନରସିଂହ ରୂପ ଧରେ

  70. Couplet 70

    ଭ୍ରମାଇ ଭ୍ରୂକୁଟୀ-କୁଟୀଳଦନ୍ତ-ଶ୍ରୀମୁଖ ବିକରାଳ

  71. Couplet 71

    ଗଦା ବୁଲାଇ ଅତି ବେଗେଦୈତ୍ୟ ମିଳିଲା ଆସି ଆଗେ

  72. Couplet 72

    ତକ୍ଷଣେ ଉରୁ ମଧ୍ୟେ ଧରିନଖାଗ୍ରେ ହିରଣ୍ୟ ବିଦାରି

  73. Couplet 73

    ମହାଦୈତ୍ୟକୁ ସଂହାରିଲେସଂସାର ସଙ୍କଟୁ ତାରିଲେ

  74. Couplet 74

    ଅଗାଧ-ସରୋବର ମଧ୍ୟେକୁମ୍ଭୀର ଗଜରାଜ ପାଦେ

  75. Couplet 75

    ଧଇଲା ଅତି ଦୃଢ଼ବଳେହସ୍ତୀର ଚରଣ ନିଶ୍ଚଳେ

  76. Couplet 76

    ଚଳି ନ ପାରି ଯୂଥପତିଆରତେ ସୁମରେ ଶ୍ରୀପତି

  77. Couplet 77

    ହସ୍ତେ କମଳ ଉଚ୍ଚେ ତୋଳିନୟନୁ ଅଶ୍ରୁଜଳ ଗଳି

  78. Couplet 78

    ଆଦିପୁରୁଷ ଲୋକନାଥତୀର୍ଥ-ପବିତ୍ର ତୋ ଚରିତ

  79. Couplet 79

    ଶ୍ରବଣ-ମଙ୍ଗଳ ତୋ ନାମପୁଣ୍ୟପୁରୁଷ ଗୁଣଧାମ

  80. Couplet 80

    ସେ ହରି ସ୍ତୁତି ଶୁଣି କର୍ଣ୍ଣେଗଜବିକଳ ଯୋଗଧ୍ୟାନେ

  81. Couplet 81

    ମରଣକାଳେ ସୁମରିଲାବିଷ୍ଣୁର ସମାଧି ଭାଜିଲା

  82. Couplet 82

    ତାର ମହିମା ଅପ୍ରମେୟନିମିତ୍ତେ ବହେ ନାନାଦେହ

  83. Couplet 83

    ଦକ୍ଷିଣଭୁଜେ ଚକ୍ର ଧରିଗରୁଡ଼-ସ୍କନ୍ଧେ ବିଜେ କରି

  84. Couplet 84

    ଚକ୍ର ପ୍ରହାରେ ନକ୍ର ମାରିହସ୍ତୀର ହସ୍ତ ହସ୍ତେ ଧରି

  85. Couplet 85

    ଜଳୁ ଉଦ୍ଧରି ନାରାୟଣଅନ୍ତର ହୋଇଲେ ତକ୍ଷଣ

  86. Couplet 86

    ଅଦିତି-ପୁତ୍ରଙ୍କର ସାନଗୁଣରେ ଜ୍ୟେଷ୍ଠ ସେ ବାମନ

  87. Couplet 87

    ତ୍ରିପାଦେ ତିନିଲୋକ ଜିଣିସେ ଅଧିଯଜ୍ଞ ନାମ ଭଣି

  88. Couplet 88

    ଯେ ଧର୍ମମାର୍ଗେ ନିତ୍ୟେ ଥାନ୍ତିଯାଚଞ୍ଜା ବିନା ତା ସମ୍ପତ୍ତି

  89. Couplet 89

    ଈଶ୍ୱର ଆଦିତନୁ ଧରିକେହି ନ ପାରେ ତାହା ହରି

  90. Couplet 90

    ସେ ବଳି ଦୃଢ଼ ସତ୍ୟ ମନେକୃଷ୍ଣଚରଣ ଆରାଧନେ

  91. Couplet 91

    ମନ୍ତ୍ରୀର ବୋଲ ନ ଶୁଣିଲାତ୍ରିପାଦ-ଭୂମି ଦାନ ଦେଲା

  92. Couplet 92

    ବିଷ୍ଣୁର ପାଦରଜେ ଇଚ୍ଛାଇନ୍ଦ୍ରାଦି ପଦେ ନାହିଁ ବାଞ୍ଛା

  93. Couplet 93

    ସର୍ବ-ସମ୍ପଦ ଆତ୍ମା ତୁଲେଅର୍ପିଲା ବିଷ୍ଣୁ-ପାଦମୂଳେ

  94. Couplet 94

    ତୁ ଯେ ନାରଦ ତାରଅଂଶେଶରୀର ବହୁ ମୋର ବଂଶେ

  95. Couplet 95

    ତୁମ୍ଭଙ୍କୁ ଭକ୍ତି ହଂସରୂପେକହିଲା ଭକ୍ତ-ତୋଷ ଅର୍ଥେ

  96. Couplet 96

    ତହୁଁ ଲଭିଲୁ ଦିବ୍ୟଜ୍ଞାନଯେ ଯୋଗୀଗଣେ ବିଦ୍ୟମାନ

  97. Couplet 97

    ଯେ ଜ୍ଞାନେ କୃଷ୍ଣର ଚରଣସୁଖେଣ ପଶନ୍ତି ଶରଣ

  98. Couplet 98

    ସେ ମନ୍ୱନ୍ତରେ ମନୁବଂଶେସ୍ୱତେଜେ ଚକ୍ରବର୍ତ୍ତୀ ଅଂଶେ

  99. Couplet 99

    ଦୁଷ୍ଟରାଜାଙ୍କୁ ଦଶଦିଗେଜିଣି ସ୍ଥାପିଲା ସାଧୁମାର୍ଗେ

  100. Couplet 100

    ତ୍ରିଲୋକ ପରେ ସତ୍ୟଲୋକେକୀର୍ତ୍ତି ବିସ୍ତାରି କଉତୁକେ

  101. Couplet 101

    ସେ ଧନ୍ୱନ୍ତରୀ ରୂପ ଧରିବ୍ରହ୍ମାଣ୍ତ ମଧ୍ୟେ ଅବତରି

  102. Couplet 102

    ହରିଲା ପ୍ରାଣୀଙ୍କର ବ୍ୟାଧିଭିଆଇ ମନ୍ତ୍ର-ମଉଷଧି

  103. Couplet 103

    ଯଜ୍ଞେ ସ୍ୱଭାଗ ଭୋଗକଲାପ୍ରାଣୀଙ୍କି ଆୟୁର୍ବେଦ ଦେଲା

  104. Couplet 104

    ବ୍ରାହ୍ମଣବଧ ଦେଖି କୋପେସେ ପୁଣି ପର୍ଶୁରାମ ରୂପେ

  105. Couplet 105

    ପରଶୁ ଦକ୍ଷଭୁଜେ ଧରିଅବନୀ ପର୍ଯ୍ୟଟନ କରି

  106. Couplet 106

    କ୍ଷତ୍ରିୟ-ରୁଧିର ତର୍ପଣେତୋଷିଲା ନିଜ ପିତୃଗଣେ

  107. Couplet 107

    ମୋର ବଚନେ ଦଇତାରିଈକ୍ଷ୍ୱାକୁବଂଶେ ଅବତରି

  108. Couplet 108

    ପିତା ବଚନେ ଗଲା ବନସ୍ୱପତ୍ନୀ ସହିତେ ଲକ୍ଷ୍ମଣ

  109. Couplet 109

    ସୀତା ରାବଣ ନେଲା ହରିସେ କୋପେ ତାର ବଂଶ ମାରି

  110. Couplet 110

    ବିଭୀଷଣଙ୍କୁ ଲଙ୍କା ଦେଲେଦେବଙ୍କ ଭୟ ନିବାରିଲେ

  111. Couplet 111

    ତ୍ରିପୁରବଧେ ଯେହ୍ନେ ହରସେ ରୂପେ ତେଜ ରଘୁବୀର

  112. Couplet 112

    ସେ ତେଜେ ଉରଗ ମକରନକ୍ରସମୂହ ଥରହର

  113. Couplet 113

    ଜଳଧି ତାରେ ଭୟକରିତାହାର ନିଜରୂପ ଧରି

  114. Couplet 114

    ଚରଣେ ଶରଣ ପଶିଲାଲଙ୍କାଗମନେ ମାର୍ଗ ଦେଲା

  115. Couplet 115

    ଦିଗବିଜୟେ ଲଙ୍କାପତିଅଇରାବତ ନାମେ ହସ୍ତୀ

  116. Couplet 116

    ତାହାର ସଙ୍ଗେ ବାଦ କରିଉରସ୍ପରଶେ ଦନ୍ତ ଚୂରି

  117. Couplet 117

    ଦେଖି ଭାଜିଲା ଗଜଶ୍ରେଷ୍ଠରାବଣ ସଙ୍ଗେ କାହିଁ ହଟ

  118. Couplet 118

    ସେହି ରାବଣଦର୍ପ ରଣେଶ୍ରୀରାମ ସଂହାରିଲେ ବାଣେ

  119. Couplet 119

    ଭୂମିର ଭାରା ନିବାରଣେକ୍ଷୀରସମୁଦ୍ରେ ଦେବଗଣେ

  120. Couplet 120

    ଈଶ୍ୱର ସଙ୍ଗେ ଦେବବଳେନମିଲେ ଚରଣକମଳେ

  121. Couplet 121

    ଅନେକ ମତେ ସ୍ତୁତି ଭଣିବିଷ୍ଣୁ ସନ୍ତୋଷ ତାହାଣୁଣି

  122. Couplet 122

    ସନ୍ତୋଷେ ଶୁକ୍ଳକୃଷ୍ଣକେଶଜଂଘୁ ଉପାଡ଼ି ହୃଷୀକେଶ

  123. Couplet 123

    ସେ ବେନିରୋମ ମହୀତଳେଜନ୍ମି ଅସୁର ସଂହାରିଲେ

  124. Couplet 124

    ହରିଲେ ଅବନୀର ଭାରମହାମହିମା ଚକ୍ରଧର

  125. Couplet 125

    ତିନିଦିବସେ ନାରାୟଣଶୋଷିଲେ ପୂତନାର ପ୍ରାଣ

  126. Couplet 126

    ମାସକେ ନନ୍ଦଗୃହେ ହରିପାଦେ ଶକଟା ଚୂର କରି

  127. Couplet 127

    ଦଧିମନ୍ଥନ କାଳେ ଧରିରୋଳେ ବାନ୍ଧିଲା ନନ୍ଦନାରୀ

  128. Couplet 128

    ସେ ରୋଳ ସଙ୍ଗେ ନନ୍ଦବଳାବେନିଅର୍ଜୁନ ମଧ୍ୟେଗଲା

  129. Couplet 129

    ଅତି ଉତ୍ସର୍ଗ ବେନିବୃକ୍ଷେଉପୁଡ଼ି ପଡ଼ିଲେ ପ୍ରତ୍ୟକ୍ଷେ

  130. Couplet 130

    ସେ ପୁଣି ଗୋବତ୍ସ ରକ୍ଷଣେକାଳିନ୍ଦୀତଟେ ବୃନ୍ଦାବନେ

  131. Couplet 131

    ବତ୍ସା-ବାଳକ ବିଷଜଳେପଶିଲେ ତୃଷାର ବିକଳେ

  132. Couplet 132

    ସକଳେ କଲେ ଜଳପାନତକ୍ଷଣେ ହାରିଲେ ଜୀବନ

  133. Couplet 133

    ଅଦ୍ଭୁତ ଦେଖି ଭାବଗ୍ରାହୀଅମୃତନୟନେ ଅନାଇ

  134. Couplet 134

    ତାହାଙ୍କୁ ଜୀବଦାନ ଦେଲେସେ ଜଳେ ସର୍ପକୁ ଦେଖିଲେ

  135. Couplet 135

    ଜିହା ଚଞ୍ଚଳ ବିଷ ବଳେବିହାର କାଳିନ୍ଦୀର ଜଳେ

  136. Couplet 136

    ଦୂରେ ନିବେଶି ନାଗବଳଅମୃତ କଲେ ବିଷଜଳ

  137. Couplet 137

    ଜନ୍ତୁଙ୍କୁ କରାଇଲେ ପାନଅଦ୍ଭୁତଗତି ଭଗବାନ

  138. Couplet 138

    ଅମ୍ବିକାବନେ ଗୋପଜନେଶୟନେ ନିଶିଅର୍ଦ୍ଧମାନେ

  139. Couplet 139

    ଅଗ୍ନି ବେଢ଼ିଲା ବେଗେ ଆସିପ୍ରଳୟାନଳ ପ୍ରାୟ ଦିଶି

  140. Couplet 140

    ଅନଳ ଦେଖି ନନ୍ଦବଳାବଦନ ଲୁଚାଅ-ବୋଇଲା

  141. Couplet 141

    ଡରେ ଲୁଚାଇଲେ ମଦନଗୋବିନ୍ଦ କଲେ ଅଗ୍ନିପାନ

  142. Couplet 142

    ବାନ୍ଧିବା ପାଇଁ ଡୋର ଆଣିଯେତେ ଯୋଖିଲା ନନ୍ଦରାଣୀ

  143. Couplet 143

    ବାନ୍ଧି ନ ପାରେ ନନ୍ଦନାରୀମହାମହିମ ନରହରି

  144. Couplet 144

    ମାତାର କୋଳେ ବସିଥିଲାଜୃମ୍ଭଣେ ମୁଖ ବିସ୍ତାରିଲା

  145. Couplet 145

    ଗୋପୀ ଚାହିଁଲେ ତା ବଦନଉଦରେ ଅଶେଷ-ଭୁବନ

  146. Couplet 146

    ଐଶ୍ୱର୍ଯ୍ୟଲୀଳା ତାର ଦେହୀଦେଖି ଶଙ୍କିତମନ ହୋଇ

  147. Couplet 147

    ବରୁଣପୁରୁ ଦଇତାରିନନ୍ଦକୁ ବନ୍ଦୀମୋକ୍ଷ କରି

  148. Couplet 148

    ବରୁଣପୁରୁ ଯେତେବଳେନନ୍ଦକୁ ଆଣିଲେ ଗୋକୁଳେ

  149. Couplet 149

    ଗୋପାଳେ ବରୁଣଭୁବନଦେଖିବେ ବୋଲି କଲେ ମନ

  150. Couplet 150

    ତାହାଙ୍କୁ ନିଦ୍ରାକାଳେ ନେଇବରୁଣଭୁବନ ଦେଖାଇ

  151. Couplet 151

    ପୁଣି ମାୟାରେ ଭଗବାନଦେଖାଇ ଆପଣା ଭୁବନ

  152. Couplet 152

    ସେ ପୁଣି ବଳଦେବ ସଙ୍ଗେବନେ ଖେଳନ୍ତି ନାନାରଙ୍ଗେ

  153. Couplet 153

    ବ୍ୟୋମଅସୁର ମାୟା କଲାଗୋପାଳପୁଅଙ୍କୁ ହରିଲା

  154. Couplet 154

    ଗିରିକ୍ରୋଟରେ ନେଇ ଥୋଇଦ୍ୱାରରୁନ୍ଧିଲା ଶିଳା ଦେଇ

  155. Couplet 155

    ତାହା ଜାଣିଲେ ଚକ୍ରପାଣିବନ୍ଦୀରୁ ଗୋପସୁତ ଆଣି

  156. Couplet 156

    ଅସୁରଜୀବନ ହରିଲେପୁଣି ଅଦ୍ଭୁତକର୍ମ କଲେ

  157. Couplet 157

    ଗୋପାଳେ ନନ୍ଦଗୋପ ମେଳେଇନ୍ଦ୍ର-ଉତ୍ସବ-ଯଜ୍ଞ କାଳେ

  158. Couplet 158

    ଗୋବିନ୍ଦ ବୋଲେ ଯଜ୍ଞ ଭାଞ୍ଜିପର୍ବତ-ଗୋବର୍ଦ୍ଧନ ପୂଜି

  159. Couplet 159

    ମେଘ-ପବନ ଘେନି ସଙ୍ଗେଇନ୍ଦ୍ର ମିଳିଲା ଗୋପେ ବେଗେ

  160. Couplet 160

    ଇନ୍ଦ୍ରବରଷେ କୋପ କରିପ୍ରଳୟକାଳେ ଯେହ୍ନେ ବାରି

  161. Couplet 161

    ତା ଦେଖି କୃଷ୍ଣ ଦୟାଚିତ୍ତେଗୋରୁଗୋପାଳ ରକ୍ଷାଅର୍ଥେ

  162. Couplet 162

    ସପତ-ବରଷ-କୁମରହସ୍ତେ ଉପାଡ଼ି ଗିରିବର

  163. Couplet 163

    ଛତ୍ର ପରାଏ ବାମକରେତୋଳିଲା ଅଙ୍ଗୁଳି ଅଗ୍ରରେ

  164. Couplet 164

    ସପତଦିନ ବରଷିଲାକୃଷ୍ଣର କରେ ଗିରି ଥିଲା

  165. Couplet 165

    ଭୟେ ଚିନ୍ତିଣ ସୁରରାୟେଶରଣଗଲା କୃଷ୍ଣପାୟେ

  166. Couplet 166

    ଆସି ସୁରଭୀ ଘେନି ସଙ୍ଗେପୂଜିଲା କୃଷ୍ଣପାଦଯୁଗେ

  167. Couplet 167

    ଗୋବିନ୍ଦ ନାମ ଦେଇଗଲାସନ୍ତୋଷେ ପୁରେ ପ୍ରବେଶିଲା

  168. Couplet 168

    ପୁଣି ଶରଦଋତୁ କାଳେଗୋବିନ୍ଦ ଯୋଗମାୟା ବଳେ

  169. Couplet 169

    ରାତ୍ରେ ଶଶାଙ୍କରଶ୍ମିଜାଳେରାସଉତ୍ସବ ଗୋପୀମେଳେ

  170. Couplet 170

    ମଧୁର-ବେଣୁନାଦ-ଗୀତେମନମୋହିଲେ ବାମା ଯେତେ

  171. Couplet 171

    ଅନଙ୍ଗମୋହେ ବ୍ରଜନାରୀଗୋବିନ୍ଦ ସଙ୍ଗେ କ୍ରୀଡ଼ା କରି

  172. Couplet 172

    ଶୁଣି କୃଷ୍ଣର ବେଣୁସ୍ୱନମିଳିଲା କୁବେରନନ୍ଦନ

  173. Couplet 173

    ଗୋପୀଙ୍କି ହରିବାର ଆଶେଲୁଚି ବସିଲା ବନଦେଶେ

  174. Couplet 174

    ତାହାକୁ ଧରି ବେଣୁଧରକରପ୍ରହାରେ ଛେଦିଶିର

  175. Couplet 175

    ମଣି ହରିଲେ ତାର ଶିରୁଅଶେଷଜନପିତାଗୁରୁ

  176. Couplet 176

    ପ୍ରଳମ୍ବା ଖର ବକାସୁରକେଶୀ ଧେନୁକା ଷଣ୍ଢାବୀର

  177. Couplet 177

    ମୁଷ୍ଟିକମଲ୍ଲ କୁବଳୟାକଂସ ଯବନ ଘୋରମାୟା

  178. Couplet 178

    ନାରକା ସାଲ୍ୱ ପୁଣ୍ତରୀକକପି ବଲ୍ୱଳ ଦନ୍ତବକ୍ର

  179. Couplet 179

    ସପତଷଣ୍ଢ ବିଦୂରଥସମ୍ବର ରୁକ୍ମିଣୀର ଭ୍ରାତ

  180. Couplet 180

    କାମ୍ବୋଜ ମତ୍ସ୍ୟ କୁରୁବୀରେସୃଞ୍ଜୟ କେକୟ ଅପରେ

  181. Couplet 181

    ଏହାଙ୍କୁ ସଂଗ୍ରାମେ ନିବାରିଭୀମ ଅର୍ଜୁନ ସଙ୍ଗେ କରି

  182. Couplet 182

    ପରମପଦେ ଦେଲେ ସ୍ଥାନମାୟା-ମନୁଷ୍ୟ-ଭଗବାନ

  183. Couplet 183

    କଳିପ୍ରବେଶ କାଳବଳେପ୍ରାଣୀଏ ଚେତନା-ଚଞ୍ଚଳେ

  184. Couplet 184

    ଭାରତୀ ନ ପାରନ୍ତି ଧରିଅଳ୍ପଆୟୁଷ ଦେଖି ହରି

  185. Couplet 185

    ଜନ୍ମିଲେ ବ୍ୟାସ ରୂପ ଧରିଅଶେଷ-ଶ୍ରୁତିଶାସ୍ତ୍ର କରି

  186. Couplet 186

    ବେଦଦ୍ରୁମକୁ ଶାଖା କଲେଏକୁ ଅନେକ ବୁଦ୍ଧିବଳେ

  187. Couplet 187

    ଅସୁରେ ରହି ବେଦମାର୍ଗେମାୟାଭିମାନେ କଳିଯୁଗେ

  188. Couplet 188

    ମୟଦଇତର ସଙ୍ଗତେଦୃଶ୍ୟ-ଅଦୃଶ୍ୟ ବେନିପଥେ

  189. Couplet 189

    ସେକଥା ଜାଣି ଜଗନ୍ନାଥେବୁଦ୍ଧାବତାରେ ଜନହିତେ

  190. Couplet 190

    କପଟ-ମାୟା-ମୋହବଶେପାଷାଣ୍ତମାର୍ଗ ଉପଦେଶେ

  191. Couplet 191

    ଅନେକ ଦୁର୍ଗତି ହରିବେସୁଜନଜନଙ୍କୁ ରଖିବେ

  192. Couplet 192

    ପୁଣି ଏ କଳିଯୁଗ ଅନ୍ତେସୁଧୁଜନଙ୍କ ଗୃହଗତେ

  193. Couplet 193

    କୃଷ୍ଣ-ସ୍ମରଣ-ଗୁଣଗାଥାନୋହିବ ଯେବେ ହରିକଥା

  194. Couplet 194

    ଦ୍ୱିଜେ ପାଷଣ୍ତ ଆଚରିବେସେ ପଞ୍ଚଯଜ୍ଞ ନ କରିବେ

  195. Couplet 195

    ରାଜା ହୋଇବେ ଶୂଦ୍ରଜନେପ୍ରଜା ପୀଡ଼ିବେ କର-ଧନେ

  196. Couplet 196

    ଯେ ସ୍ୱାହା ସ୍ୱଧା ବଷଟ୍ କାରଛାଡ଼ି କରିବେ ଦୁରାଚାର

  197. Couplet 197

    ଏ କର୍ମ ଦେଖି କଳ୍କୀ ରୂପେଅଶ୍ୱ ଆରୋହି ମହାକୋପେ

  198. Couplet 198

    ଖଡ଼୍ଗ ଉଭାରି ବେନିହସ୍ତେଶେଷେ ସ୍ଥାପିବେ ଧର୍ମପଥେ

  199. Couplet 199

    ସର୍ଜନେ ମୁହିଁ ଋଷି ନବପ୍ରଜାପତିଏ ତପଭାବ

  200. Couplet 200

    ସ୍ଥିତିରେ ଧର୍ମ ମନୁଗଣଯଜ୍ଞସ୍ୱରୂପ ବିଷ୍ଣୁ ପଣ

  201. Couplet 201

    ଅମରଗଣ ରାଜାଗଣସଂହାରେ ଅଧର୍ମ କାରଣ

  202. Couplet 202

    ଯେ ହର ହରେ ତିନିପୁରଉରଗ ଆଦି ଯେ ଅସୁର

  203. Couplet 203

    ଅନନ୍ତ ଶକ୍ତି ଦାମୋଦରଏ ସର୍ବ ବିଭୂତି ତାହାର

  204. Couplet 204

    ଯେଣୁ ସେ ମାୟାରୂପ ଧରେକଳ୍ପକଳ୍ପାନ୍ତେ ସୃଷ୍ଟି କରେ

  205. Couplet 205

    ଯେ ବିଷ୍ଣୁ-ନାଭି-ଜାତ-ପାଦଆବୋରି ଭୁବନ ଚଉଦ

  206. Couplet 206

    ଯା ବେଗେ ପ୍ରକୃତି କମ୍ପିଲାନିଜ ବିକ୍ରମେ ଯେ ଧଇଲା

  207. Couplet 207

    ସେ ବିଷ୍ଣୁ-ମହିମା ସଂସାରେକେ ଗଣି ସଂଖ୍ୟା କରିପାରେ

  208. Couplet 208

    ଯେ କବି ଭୂମି ରେଣୁ ଗଣିସେ କି ପାରିବ ପରିମାଣି

  209. Couplet 209

    ତାହାର ମାୟାବଳ ଗତିତା ଅନ୍ତ କେହି ନ ଜାଣନ୍ତି

  210. Couplet 210

    ତୋର ଅଗ୍ରଜ ମୁନି ଶାନ୍ତସେ କାହିଁ ଜାଣିବେ ତଦନ୍ତ

  211. Couplet 211

    ବ୍ରହ୍ମା ଶଙ୍କର ନ ପ୍ରମାଣେଅପରେ କେବା ତାହା ଜାଣେ

  212. Couplet 212

    ବାସୁକି ଅୟୁତବଦନେସମର୍ଥ ନୋହେ ଗୁଣଗାନେ

  213. Couplet 213

    ଯାହାରେ ହରି ଦୟାକରେସେ ଯେବେ ନିଷ୍କପଟେ ଧରେ

  214. Couplet 214

    ଦୁସ୍ତର-ମାୟା ସେ ତରନ୍ତିଦୁଃଖେ ସଙ୍କଟେ ନ ପଡ଼ନ୍ତି

  215. Couplet 215

    ଶ୍ୱାନ-ଶୃଗାଳ-ଭକ୍ଷ ଦେହେଏ ମୋର ବୋଲି ଜ୍ଞାନ ନୋହେ

  216. Couplet 216

    ଏବେ ନାରଦ ଶୁଣ ଧୀରେଯେବା ତରିଲେ ମାୟାଘୋରେ

  217. Couplet 217

    ତା ମାୟା ଚିତ୍ତେ ଜାଣି ଭଲେଯେ ଏ ସଂସାରୁ ତରିଗଲେ

  218. Couplet 218

    ମୁହିଁ ଜାଣଇ ମାୟା ତାରତୁମ୍ଭେ ସନକାଦି ଶଙ୍କର

  219. Couplet 219

    ପ୍ରହ୍ଲାଦ ଜାଣେ ଅନ୍ତର୍ଗତେମନୁ ଯେ କୁଟୁମ୍ବ ସହିତେ

  220. Couplet 220

    ପ୍ରାଚୀନବାର୍ହି ଋଭୁ ଅଙ୍ଗଧ୍ରୁବ ଈକ୍ଷ୍ୱାକୁ ମୁଚୁକୁନ୍ଦ

  221. Couplet 221

    ବିଦେହ ସୌମ୍ୟସୁତ ଗାଧିରଘୁ ଅମ୍ବରୀଶ ସୁବୁଦ୍ଧି

  222. Couplet 222

    ଗୟ ନହୁଷ ଆଦି ଯେତେଶୁଣ ନାରଦ କହୁଁ ତୋତେ

  223. Couplet 223

    ମାନ୍ଧାତାଳର୍କ ଶତଧନୁରନ୍ତିଦେବ ଯେ ଗଙ୍ଗାସୂନୁ

  224. Couplet 224

    ଅମୂର୍ତ୍ତରୟ ଯେ ସୌଭରିଦିଲୀପ ଉତ୍ତଙ୍କ ଯେ ବଳୀ

  225. Couplet 225

    ଶିବି ଦେବଳ ପିପ୍ ପଲାଦସାରସ୍ୱତ ସଙ୍ଗେ ଉଦ୍ଧବ

  226. Couplet 226

    ଯେ ପରାଶର ଭୂରିଷେଣରାବଣଭ୍ରାତ ହନୁମାନ

  227. Couplet 227

    ଶୁକ ଯେ ଉପଇନ୍ଦ୍ର ଦତ୍ତବିଦୁର ଆର୍ଷ୍ଟିଷେଣ ପାର୍ଥ

  228. Couplet 228

    ବ୍ରାହ୍ମଣ ଶ୍ରୁତଦେବ ତୁଲେବିଷ୍ଣୁମାୟାରୁ ତରିଗଲେ

  229. Couplet 229

    ହୂଣ ଯବନ ଶୂଦ୍ର ସ୍ତିରୀଶବର ତୁଲେ ଗଲେ ତରି

  230. Couplet 230

    କୃଷ୍ଣର ରୂପେ ମନ ଯାରକିବା କହିବା ଗତି ତାର

  231. Couplet 231

    ଅଦ୍ଭୁତକର୍ମ ଯେ ତାହାରଯେ ଭାବେ ନାହିଁ ପରାପର

  232. Couplet 232

    ତା ଭକ୍ତିଶିକ୍ଷା ଅଟେ ଯାରସେହୁ ତରନ୍ତି ମାୟାଘୋର

  233. Couplet 233

    ନିତ୍ୟ ପ୍ରଶାନ୍ତ ସେ ନିର୍ଭୟପ୍ରବୋଧ ମାତ୍ର ଯାର ଦେହ

  234. Couplet 234

    ସେ ଶୁଦ୍ଧ ସର୍ବଘଟେ ସମରୂପ-ଅରୂପ ପରଧାମ

  235. Couplet 235

    ଶବ୍ଦ ନ ପାରେ ଯାହା କହିଅନେକ କ୍ରିୟାଯୋଗ ବହି

  236. Couplet 236

    ଯାର ସମ୍ମୁଖେ ଭଗବତୀଲାଜେ ପଳାଇ ଶିରପୋତି

  237. Couplet 237

    ଯେ ବ୍ରହ୍ମଜ୍ଞାନୀ ମୁନିଗଣେଯାହା ସ୍ମରନ୍ତି ଅନୁକ୍ଷଣେ

  238. Couplet 238

    ନିଜସ୍ୱରୂପ ତାର ଚିନ୍ତିପରମପୁରୁଷ ବୋଲାନ୍ତି

  239. Couplet 239

    ଅଜରାମର ଯେ ବିଶୋକନାହିଁ ଯାହାର ରୂପରେଖ

  240. Couplet 240

    ଯାହାର ମନ ଦୃଢ଼ଚିେତ୍ତେକୃଷ୍ଣବିଷୟେ ଅବିରତେ

  241. Couplet 241

    ଭାବି ଛାଡ଼ଇ ସର୍ବତାପଇନ୍ଦ୍ର ନ ଖୋଳେ ଯେହ୍ନେ କୂପ

  242. Couplet 242

    ସେ ହରି କଇବଲ୍ୟନାଥଭାବ ସ୍ୱଭାବ ଏ ଜଗତ

  243. Couplet 243

    କରାଏ ସର୍ବଦେହେ ବସିଶମାଦି ସ୍ୱଭାବ ପ୍ରକାଶି

  244. Couplet 244

    ଦେହ-ବିଯୋଗ କାଳେ ଦେହୀଗଗନପ୍ରାୟେ ଶୂନ୍ୟେ ରହି

  245. Couplet 245

    ତେଣେ ତାହାର ସଙ୍ଗ ନାହିଁଜନମ ମୃତ୍ୟୁ ତାର କାହିଁ

  246. Couplet 246

    ହେ ପୁତ୍ର କହିଲି ମୁଁ ତୋତେହରିମହିମା ଭାବି ଚିତ୍ତେ

  247. Couplet 247

    ସତ ଅସତ ରୂପ ସେହିଅଶେଷ ମାୟାରୂପ ବହି

  248. Couplet 248

    କରଇ ଆତ୍ମା ଖେଳାଲୀଳାତାର ଚରିତ ଭବଭେଳା

  249. Couplet 249

    ଏ ଭାଗବତଧର୍ମ ଯେତେଗୋବିନ୍ଦ କହିଥିଲେ ମୋତେ

  250. Couplet 250

    ଏ ସର୍ବ ସଂଗ୍ରହର ମୂଳଅଶେଷ ଧର୍ମ ଯଜ୍ଞଫଳ

  251. Couplet 251

    ଲୀଳା ବିସ୍ତାରି କହ ମୁଖେସୁଜନଜନଙ୍କର ସୁଖେ

  252. Couplet 252

    ଯେମନ୍ତେ ପ୍ରାଣୀଙ୍କର ଚିତ୍ତେକୃଷ୍ଣବିଷୟ ଅବିରତେ

  253. Couplet 253

    ଯେମନ୍ତେ ନାଶେ ଶୋକମୋହଇତି ସଙ୍କଳ୍ପି ତାତ କହ

  254. Couplet 254

    ବର୍ଣ୍ଣିଲି ଈଶ୍ୱରର ମାୟାଯେ ଶୁଣେ ତରେ ତାର କାୟା

  255. Couplet 255

    ମାୟା ନ ଲାଗେ ତାର ଚିତ୍ତେଯେ ମୁଖେ ଗୁଣେ ଅବିରତେ

  256. Couplet 256

    ଏମନ୍ତ ଭାଗବତବାଣୀନାରଦ ବ୍ରହ୍ମାମୁଖୁ ଶୁଣି

  257. Couplet 257

    ମନଆନନ୍ଦେ କୃତକୃତ୍ୟକହଇ ଦାସ ଜଗନ୍ନାଥ

Odia Bhagabata skandha 2 adhyaya 7 | Parbani by ParibhaAsha App