Skip to content
paribhaasha

Skandha 11

Adhyaya 27

  1. Couplet 1

    ଉଦ୍ଧବେ ଚାହିଁ ହୃଷୀକେଶକହନ୍ତି ନାନା ଉପଦେଶ

  2. Couplet 2

    ଅନେକ ଜନ୍ମ ତପଫଳେମନୁଷ୍ୟଜନ୍ମ ମହୀତଳେ

  3. Couplet 3

    ଯାହାର ଦିବ୍ୟଜ୍ଞାନ ସ୍ପୁରେମୋର ମହିମା ସେ ସୁମରେ

  4. Couplet 4

    ମନ ନିବେଶି ମୋ' ପୟରେବିଷୟ-ସୁଖ ନ ବିଚାରେ

  5. Couplet 5

    ପରମାନନ୍ଦ ସୁଖ ପାଇସେ ପ୍ରାଣୀ ରହେ ପୂର୍ଣ୍ଣ ହୋଇ

  6. Couplet 6

    ଏ ଗୁଣମୟ ନର ଅଙ୍ଗକେବେହେଁ ନୋହେ ତା'ର ସଙ୍ଗ

  7. Couplet 7

    ଅବିଦ୍ୟା-ବନ୍ଧ ନ ଲାଗଇତାହାର ସ୍ମୃତିଭଙ୍ଗ ନାହିଁ

  8. Couplet 8

    ଯେ ପ୍ରାଣୀ ଶରଣ ମୋହରମୁହିଁ ତାହାର ସୁଖଘର

  9. Couplet 9

    ଅସାଧୁ ସଙ୍ଗେ ନ ରମନ୍ତିଏଣୁ ଏ ସଂସାରୁ ତରନ୍ତି

  10. Couplet 10

    ଯେ ଶିଶ୍ନୋଦର ପରାୟଣଅସାଧୁମତି ଯେ ଦୁର୍ଜନ

  11. Couplet 11

    ତା' ସଙ୍ଗେ ଯେହୁ ସଙ୍ଗ ହୋଇସେ ନିଶ୍ଚେ ନରକେ ପଡ଼ଇ

  12. Couplet 12

    ଅନ୍ଧକୁ ହୋଇ ଅନୁଗତଅନ୍ଧ ଯେସନେ ପଡେ଼ ଖାତ

  13. Couplet 13

    ଏଣୁ ଦୁର୍ଜନ ସଙ୍ଗଦୋଷକରେ ସକଳ ଜ୍ଞାନଧ୍ୱଂସ

  14. Couplet 14

    ଥିଲା ଯେ ବୁଧଗ୍ରହ-ସୁତସେ ପୁରୁରବା ନରନାଥ

  15. Couplet 15

    ଉର୍ବଶୀ ବିରହେ ସେ ବୀରସକାମେ ତେଜିଲା ନଗର

  16. Couplet 16

    ଉନ୍ମତ୍ତ-ଉଲଗ୍ନ-ଶରୀରେଭ୍ରମିଲା ଦେଶ-ବନ-ଘୋରେ

  17. Couplet 17

    କାନ୍ଦଇ ଉର୍ବଶୀ ନ ପାଇକ୍ଷଣକ୍ଷଣକେ ଛନ୍ନ ହୋଇ

  18. Couplet 18

    ଉର୍ବଶୀଠାରେ ଚିତ୍ତ ଦେଇଏମନ୍ତେ କେତେକାଳ ଯାଇ

  19. Couplet 19

    ପୁଣ ଗନ୍ଧର୍ବ ସେବାଫଳେରମିଲା ଉର୍ବଶୀର ମେଳେ

  20. Couplet 20

    କାମ-ସମ୍ପୂର୍ଣ୍ଣେ ଭୋଗକଲାରାତ୍ରିଦିବସ ନ ଜାଣିଲା

  21. Couplet 21

    ଏମନ୍ତ ରାତ୍ରଦିନ ଭାଳେନୟନୁ ଅଶ୍ରୁଜଳ ଗଳେ

  22. Couplet 22

    ଏମନ୍ତେ କେତେଦିନ ଗଲାହୃଦରେ ଜ୍ଞାନ ପ୍ରସରିଲା

  23. Couplet 23

    ଏମନ୍ତେ ରାତ୍ରେ ଏକଦିନେରାଜା ବିଚାରୁଅଛି ମନେ

  24. Couplet 24

    ଦେଖ ମୋହର କର୍ମଫଳଉର୍ବଶୀ ସଙ୍ଗେ ଏତେ କାଳ

  25. Couplet 25

    ବିବିଧରଙ୍ଗେ କରି ଖେଳାକେତେ ରଜନୀ ଦିନ ଗଲା

  26. Couplet 26

    ଏମନ୍ତେ ବିବିଧ ବିନୋଦତା' ସଙ୍ଗେ ବଳିଲା ମୋ' ସଧ

  27. Couplet 27

    ସ୍ୱଭାବେ ଏକସଙ୍ଗେ ଗଲାକ୍ଷଣକେ ତେଜି ନ ପାରିଲା

  28. Couplet 28

    ନିଶି-ଦିବସ ଏକକରିଏକାନ୍ତେ କେତେଦିନ ହରି

  29. Couplet 29

    ଦେଖ ଚଞ୍ଚଳ ମୋ'ର ଚିତ୍ତକାମିନୀ-କାମେ ବିମୋହିତ

  30. Couplet 30

    ଯୁବତୀ ସଙ୍ଗେ କରି ଖେଳାବିଅର୍ଥେ ଆୟୁଷ ମୋ' ଗଲା

  31. Couplet 31

    ବଞ୍ଚିତ ହୋଇଲି ଜଗତେଧର୍ମାର୍ଥକାମ ଅପ୍ରପାତେ

  32. Couplet 32

    ନ ଦେଖି ଆଦିତ୍ୟର ଗତିଅଜ୍ଞାନେ ଗଲା ଦିବାରାତି

  33. Couplet 33

    ନାରୀ ସଙ୍ଗମେ ଗଲା କାଳଧିକ ମୋ' ଜୀବନ ନିଷ୍ଫଳ

  34. Couplet 34

    ଦେଖ ମୁଁ ନୃପଶିରୋମଣିମୋ' ପ୍ରାଣ ଜିଣିଲା ତରୁଣୀ

  35. Couplet 35

    ଏ ନର-କଳେବର ପାଇମୁଁ କ୍ରୀଡ଼ାମୃଗ ପ୍ରାୟେ ହୋଇ

  36. Couplet 36

    ଉର୍ବଶୀ-ବିଯୋଗେ ବିକଳଅଜ୍ଞାନେ ନାଶିଲି ସକଳ

  37. Couplet 37

    ଧନ-ସମ୍ପଦ ମୋର କେଣେଗଲା ନ ଦେଖେ ଅନ୍ଧପଣେ

  38. Couplet 38

    ନୟନେ ନ ଦେଖିଲି ତାହାଉନ୍ମତ୍ତ-ମାୟାରେ ଉତ୍ସାହା

  39. Couplet 39

    ସେ ମାନ ମୋର କେଣେ ଗଲାମାୟା-ପଟଳ ଆକର୍ଷିଲା

  40. Couplet 40

    ଏକାନ୍ତେ ଭ୍ରମଇ ଜଗତେଉଲଗ୍ନ ବେଶେ ଉନମତ୍ତେ

  41. Couplet 41

    ଉର୍ବଶୀ ପଥେ ଯାଉଁ ଚଳିମୋ' ମୁଣ୍ଡେ ତା'ର ପଦଧୂଳି

  42. Couplet 42

    ଲମ୍ପଟ ଉନ୍ମତ୍ତ ମୋ ବେଶମୋ' ମୁଣ୍ଡେ ମୁକୁଳିତ କେଶ

  43. Couplet 43

    ଦେଖ ନିର୍ଦ୍ଦୟା ତା ହୃଦୟେଲେଉଟି କେବେହେଁ ନ ଚାହେଁ

  44. Couplet 44

    ଯେ ଅବା ନାରୀବଶ ହୋନ୍ତିକିବା ତାହାଙ୍କ ତେଜ ମତି

  45. Couplet 45

    ଯେସନେ ଗଧ କାମଭୋଳେଗଧୁଣୀ ପାଶେ ଯାଇ ମିଳେ

  46. Couplet 46

    ସେ ତାକୁ ଚରଣେ ତାଡ଼ଇନିର୍ଲ୍ଲଜ ସେ ତା' ନ ଜାଣଇ

  47. Couplet 47

    ଏ ପାପଚିତ୍ତ ନିରୋଧନେଉପାୟ ନ ଦିଶେ ମୋ ମନେ

  48. Couplet 48

    ବିଦ୍ୟା ତପସ୍ୟା ଶାସ୍ତ୍ର ଦାନଏକାନ୍ତ ନିବାସ ମଉନ

  49. Couplet 49

    ଏଣେ ତା' ପ୍ରୟୋଜନ କିସଯା' ମନ ନାରୀ କଲା ବଶ

  50. Couplet 50

    ଏଣୁ ଜୀବନ ମୋ'ର ଧିକନିଷ୍ଫଳ ମୋ' ଜ୍ଞାନ-ବିବେକ

  51. Couplet 51

    ମୁହିଁ ଯେ ପ୍ରଭୁପଣ ପାଇଗୋରୁ-ଗର୍ଦ୍ଦଭ ପ୍ରାୟ ହୋଇ

  52. Couplet 52

    କି ତପବିଦ୍ୟା ତା' ସାଧନକଟାକ୍ଷେ ମୋହିଲା ମୋ' ମନ

  53. Couplet 53

    ସର୍ବ ନିଷ୍ଫଳ ନାରୀ ସଙ୍ଗେବଞ୍ଚିତ ହେଲି ନରଅଙ୍ଗେ

  54. Couplet 54

    ଉର୍ବଶୀ ସଙ୍ଗେ ଏତେଦିନବଞ୍ଚିଲି ଧିକ ମୋ' ଜୀବନ

  55. Couplet 55

    ମୋତେ ନ ଛାଡେ଼ କାମଜ୍ୱରମୁଁ ରୋଗୀ ପାପିଷ୍ଠ ପାମର

  56. Couplet 56

    ନାରୀ ସଙ୍ଗମେ ଯା'ର ମନମୋହେ ହୁଅଇ ହତଜ୍ଞାନ

  57. Couplet 57

    ତା'ର ଜୀବନ ଉଦ୍ଧାରଣେକେ ପାରେ ବିନା ନାରାୟଣେ

  58. Couplet 58

    ଜ୍ଞାନ-ଆଧାର ଭଗବାନଗୁଣ-ରଞ୍ଜନ ପୂର୍ଣ୍ଣକାମ

  59. Couplet 59

    ମୋ'ର ଜୀବନ ପରିତ୍ରାଣେକୃଷ୍ଣ ହୁଁ ଅନ୍ୟ ନାହିଁ ଜଣେ

  60. Couplet 60

    ଇନ୍ଦ୍ରିୟମାନଙ୍କୁ ନ ଜିତିମୁଁ ମୂଢ ଅତ୍ୟନ୍ତ ଦୁର୍ମତି

  61. Couplet 61

    ଉର୍ବଶୀ ଉଚିତ ବଚନଯେଣୁ ନ ବୁଝି ହେଲି ଭ୍ରମ

  62. Couplet 62

    ତାହାର କିସ ଅବା ଦୋଷମୋ'ର ଅଜ୍ଞାନେ ମୁହିଁ ନାଶ

  63. Couplet 63

    ଏ ଦେହେ କିବା କାର୍ଯ୍ୟ ଅଛିଦୁର୍ଗନ୍ଧ ମଳିନ ଅଶୁଚି

  64. Couplet 64

    ରୁଧିର ମାଂସ ମଳ ମୂତ୍ରଅନ୍ତ୍ର ଜଡ଼ିତ ଶିରା ସୂତ୍ର

  65. Couplet 65

    ଅଙ୍ଗ ନିର୍ମିତ ଅସ୍ଥି-ଚର୍ମେଏ ନରଦେହେ ପାଇ କର୍ମେ

  66. Couplet 66

    ଏ ସର୍ବ ଅମେଧ୍ୟ-ମନ୍ଦିରଅନିତ୍ୟ ନର-କଳେବର

  67. Couplet 67

    ଏହାକୁ ନିତ୍ୟ ପ୍ରାୟ ମଣିଯେ ପ୍ରାଣୀ ରମନ୍ତି ତରୁଣୀ

  68. Couplet 68

    ସେ କୀଟ କୃମି ସଙ୍ଗେ ସଙ୍ଗଯେ ସତ୍ୟ ମଣେ ନାରୀ ଅଙ୍ଗ

  69. Couplet 69

    ଏ ବୋଲ ବୁଝି ସ୍ତିରୀ ସଙ୍ଗେପଣ୍ଡିତ ନୋହେ ମତିଭଙ୍ଗେ

  70. Couplet 70

    ବିଷୟ-ସଙ୍ଗ ଇନ୍ଦ୍ରିମେଳେମନ-ବିକ୍ଷେପ ରସଭୋଳେ

  71. Couplet 71

    ନିତ୍ୟେ ସେବନ୍ତି ଅନୁସଙ୍ଗେଯେସନେ ଜଳଧି-ତରଙ୍ଗେ

  72. Couplet 72

    ବଢଇ ରସଲୋଭେ ଚିତ୍ତକେବେହେଁ ନୁହଇ ଆୟତ୍ତ

  73. Couplet 73

    ନ ଦେଖେ ନ ଶୁଣଇ ଯେବେମନ ନିଶ୍ଚଳ ହୋଏ ତେବେ

  74. Couplet 74

    ମନ-ନିଶ୍ଚଳେ ଇନ୍ଦ୍ରିଗଣବଳେ ଯେ ହୁଅନ୍ତି ସଂଯମ

  75. Couplet 75

    ତେଣୁ ସ୍ତ୍ରୀସଙ୍ଗ ପରିହାରେଇନ୍ଦ୍ରିୟଗଣଙ୍କୁ ନିବାରେ

  76. Couplet 76

    ଶ୍ରବଣେ ଶୁଣି ସ୍ତ୍ରିରୀରୂପଚିତ୍ତେ ଜଡ଼ଇ କାମକଳ୍ପ

  77. Couplet 77

    ଏଣୁ କାମିନୀ ସଙ୍ଗଦୋଷେପଣ୍ଡିତଜନ ମନ ତ୍ରାସେ

  78. Couplet 78

    ଏତେ ବିଚାରି ନୃପବରଚଞ୍ଚଳଚିତ୍ତ କଲା ସ୍ଥିର

  79. Couplet 79

    ଉର୍ବଶୀ ସଙ୍ଗ ଦୂରକରିମୋର ଚରଣ ହୃଦେ ଧରି

  80. Couplet 80

    ଭକତିଯୋଗେ ଧରି ମନମୋ' ପାଦେ କଲା ଆରାଧନ

  81. Couplet 81

    ଚିତ୍ତେ ଯେ ଥିଲା ମୋହପାଶମୋ' ଧ୍ୟାନେ କଲା ସର୍ବନାଶ

  82. Couplet 82

    ମୋ ନାମ ଜପି ଶୁଦ୍ଧମନେଅନ୍ତେ ପଶିଲା ମୋ' ଭୁବନେ

  83. Couplet 83

    ତୁ ଏବେ ଦୃଢଚିତ୍ତେ ବୁଝିନାରୀ-ସଙ୍ଗମ ଦୂରେ ତେଜି

  84. Couplet 84

    ସାଧୁ-ସଙ୍ଗମେ ପ୍ରୀତି କରମୋ' ଭାବେ ଆନନ୍ଦେ ବିହର

  85. Couplet 85

    ସାଧୁସଙ୍ଗମେ ଜ୍ଞାନ ବଢେକର୍ମ-ବାସନା-ବନ୍ଧ ଛିଡେ଼

  86. Couplet 86

    ସ୍ୱଭାବେ ସାଧୁଜନ ଯେତେସମାନ ଦେଖନ୍ତି ଜଗତେ

  87. Couplet 87

    ତାହାଙ୍କ ଚିତ୍ତ ନିରପେକ୍ଷମିତ୍ର-ଅଇରି ବେନିପକ୍ଷ

  88. Couplet 88

    ଚିତ୍ତ ନିବେଶି ମୋ' ଚରଣସ୍ୱଭାବେ ଶାନ୍ତ-ପରାୟଣ

  89. Couplet 89

    ନିଦ୍ୱର୍ନ୍ଦ ନିଷ୍କାମ ନିର୍ମୋହସ୍ୱଭାବେ ନାହିଁ ପରିଗ୍ରହ

  90. Couplet 90

    ଏହାଙ୍କ ସଙ୍ଗେ ସଙ୍ଗ କରମୋ'ର ଭକତି ହୃଦେ ଧର

  91. Couplet 91

    ମୋ'ର ପବିତ୍ର ଯଶ ଗୁଣନିତ୍ୟେ ତାହାଙ୍କ ମୁଖୁଁ ଶୁଣ

  92. Couplet 92

    ମୋ' ନାମ ପଶି କର୍ଣ୍ଣଦ୍ୱାରେହୃଦୁ ଅଶେଷ ପାପ ହରେ

  93. Couplet 93

    ସାଧୁଙ୍କ ମୁଖୁଁ ସାଧୁବାଣୀଦୁର୍ଗତି ଖଣ୍ଡେ ତାହା ଶୁଣି

  94. Couplet 94

    ସାଧୁଜନଙ୍କ ସଭାମଧ୍ୟେମୋ' ନାମ-ଗୁଣ ଅନୁବାଦେ

  95. Couplet 95

    ନିତ୍ୟେ କହନ୍ତି ମୋ'ର କଥାମୋ' ପୁଣ୍ୟ ଯଶଗୁଣଗାଥା

  96. Couplet 96

    ଆନନ୍ଦେ ଶୁଣି କର୍ଣ୍ଣଦ୍ୱାରେବଦନେ ଗାବନ୍ତି ସୁସ୍ୱରେ

  97. Couplet 97

    ନୟନୁ ଅଶ୍ରୁଜଳ ଝରେରୋମ ପୁଲକ କଳେବରେ

  98. Couplet 98

    ଚିତ୍ତ ମୋହର ପାଦଗତେପୀରତି କରେ ଶ୍ରଦ୍ଧାଚିତ୍ତେ

  99. Couplet 99

    ନାନା କଷଣେ ନିର୍ବିବାଦେଭକତି ଲଭେ ମୋ'ର ପାଦେ

  100. Couplet 100

    ଲଭଇ ବ୍ରହ୍ମ ଅନୁଭବଆନନ୍ଦ-ସ୍ୱରୂପ-ସ୍ୱଭାବ

  101. Couplet 101

    ନିର୍ଗୁଣ ଆତ୍ମା ଯେ ସ୍ୱରୂପନିର୍ମଳ ଅନନ୍ତ ଅରୂପ

  102. Couplet 102

    ମୋର ଭକତି ଦୃଢମନେଯାର ଉପୁଜେ ଅକିଞ୍ଚନେ

  103. Couplet 103

    କି ଅବଶେଷ ତା'ର ମନେକର୍ମ-କରଣେ ତ୍ରିଭୁବନେ

  104. Couplet 104

    ସଂସାରବନ୍ଧ ତା'ର ନାହିଁଜନ୍ମ-ମରଣୁଁ ନିସ୍ତରଇ

  105. Couplet 105

    ଅଗ୍ନି ସେବନେ ଯେହ୍ନେ ଶୀତତେମନ୍ତ ସାଧୁଙ୍କ ସଙ୍ଗତ

  106. Couplet 106

    କର୍ମ-ବାସନା ନାଶକରେନ ପୁଣ ପଡ଼ଇ ସଂସାରେ

  107. Couplet 107

    ଏବେ ତୁ ମନ ସ୍ଥିର କରଚିତ୍ତ ନିବେଶି ମୋ ପୟର

  108. Couplet 108

    ଦେଖ ଏ ସଂସାର-ସାଗରଅତି ଉତ୍କଟ ଭୟଙ୍କର

  109. Couplet 109

    କର୍ମ-ବାସନା-ରଜ୍ଜୁ ବନ୍ଦୀଜୀବ ସଞ୍ଚରେ ନିରବଧି

  110. Couplet 110

    ପୁଣି ଉଠଇ ପୁଣ ବୁଡେ଼ନିଗମ ପଥ ନିତ୍ୟେ ହୁଡେ଼

  111. Couplet 111

    ଏ ଘୋର ସଂସାର-ତରଙ୍ଗନିସ୍ତାର-ହେତୁ ସାଧୁସଙ୍ଗ

  112. Couplet 112

    ସାଧୁ-ସଙ୍ଗମ-ନାବେ ବସିନିସ୍ତରେ ଘୋର ଜଳରାଶି

  113. Couplet 113

    ସକଳ ଜୀବର ଜୀବନଯେହ୍ନେ ସଂସାରେ ଲେଖି ଅନ୍ନ

  114. Couplet 114

    ଆରତ-ଜନ-ପ୍ରାଣୀଙ୍କରଠାକୁର ମୁହିଁ ଜୀବନର

  115. Couplet 115

    ଧାର୍ମିକ ପ୍ରାଣୀଙ୍କର ମନଯେହ୍ନେ ଭରସା କରେ ଧର୍ମ

  116. Couplet 116

    ସନ୍ଥ-ଚରଣ ସେହିମତେନିସ୍ତାର ହେତୁ ଏ ଜଗତେ

  117. Couplet 117

    ଘୋର-ରଜନୀ ଅନ୍ଧକାରଯେହ୍ନେ ହରଇ ଦିବାକର

  118. Couplet 118

    ଜ୍ଞାନ-ଚକ୍ଷୁକୁ ଦେଇ ସନ୍ଥଅଜ୍ଞାନ-ତମ କରେ ହତ

  119. Couplet 119

    ସୁଜନଜନର ଏ ଭାବଉଦ୍ଧବେ କହିଲେ ମାଧବ

  120. Couplet 120

    ସେ ପୁରୁରବା ଦଣ୍ଡଧାରୀଉର୍ବଶୀ ସଙ୍ଗ ପରିହରି

  121. Couplet 121

    ସାଧୁସଙ୍ଗମ ହେତୁ କରିଘୋର ସଂସାରୁ ଗଲା ତରି

  122. Couplet 122

    ଏଣୁ ଯେ ସୁଜନ ସଙ୍ଗତେକ୍ଷଣେ ନିମିଷେ ଏ ଜଗତେ

  123. Couplet 123

    ବସେ ସକଳ ପରିହରିସେ ପ୍ରାଣୀ ଭବୁ ଯାଏ ତରି

  124. Couplet 124

    ବୋଲଇ ଦାସ ଜଗନ୍ନାଥଶ୍ରୀକୃଷ୍ଣ-ଉଦ୍ଧବ ଚରିତ

  125. Couplet 125

    ଶୁଣନ୍ତେ ଖଣ୍ଡେ ଭବ-ବ୍ୟାଧିସୁଜନେ ଶୁଣ ନିରବଧି

  126. Couplet 126

    ହରି-ଭକତିର ମହିମାକେ କହିପାରେ ଗୁଣସୀମା

  127. Couplet 127

    ଭକତି-ଯୋଗ-ଅବଧାନେସଂସାରୁ ତର ବୁଧଜନେ

  128. Couplet 128

    ହରିଙ୍କ ଗୁଣ-କର୍ମମାନହରଇ ପାପ କୋଟିଜନ୍ମ

Odia Bhagabata skandha 11 adhyaya 27 | Parbani by ParibhaAsha App