Skandha 1
Adhyaya 13
Couplet 1
ବିଦୁର ତୀର୍ଥଯାତ୍ରା କ୍ରମେମିଳିଲେ ମୈତ୍ରେୟ ଆଶ୍ରମେ
Couplet 2
କେତେହେଁ ଦିନ ତହିଁ ଥାଇଆତ୍ମାର ତତ୍ତ୍ୱଜ୍ଞାନ ପାଇ
Couplet 3
ହସ୍ତିନା ନଗରେ ବିଶ୍ୱାସେମିଳିଲେ ଯୁଧିଷ୍ଠିର ପାଶେ
Couplet 4
ଜାଣିବା ପାଇଁ ତାର ଗତିସ୍ୱଭାବେ ସାଧୁ ଧୀରମତି
Couplet 5
ମୈତ୍ରେୟ ଆଗେ ଯେବା ପ୍ରଶ୍ନକରି ପାଇଲେ ଆତ୍ମଜ୍ଞାନ
Couplet 6
ତେଣୁ ଗୋବିନ୍ଦେ ଭକ୍ତି ଜାତକେବଳ ନାହିଁ ଶତ୍ରୁମିତ୍ର
Couplet 7
ବିଦୁର ଦେଖି ଧର୍ମସୁତବନ୍ଧୁ ଆଗମେ କୃତକୃତ୍ୟ
Couplet 8
ସଙ୍ଗତେ ଘେନି ଚାରିଭାଇନମିଲେ ଆସନେ ବସାଇ
Couplet 9
ଯୁଯୁସୁ ଧୃତରାଷ୍ଟ୍ର ସୂତସଙ୍ଗତେ ଘେନି ଶାରଦ୍ ବତ
Couplet 10
ଗାନ୍ଧାରୀ ଦ୍ରୌପଦୀ ସହିତେସୁଭଦ୍ରା ଉତ୍ତରା ସମେତେ
Couplet 11
ଆଗେ ଗମନ୍ତି ଦେବୀକୁନ୍ତୀଅନ୍ୟେ ସୁହୃଦ-ବନ୍ଧୁ-ଜ୍ଞାତି
Couplet 12
ପଣ୍ତୁର ଯେତେ ବନ୍ଧୁଜନେମିଳିଲେ ହରଷ ବଦନେ
Couplet 13
ପ୍ରାଣକୁ ପାଇ ତନୁ ଯେହ୍ନେପୁଣି ଉଠଇ ଦିବ୍ୟଜ୍ଞାନେ
Couplet 14
ସକଳେ ମିଳି ତାର ପାଶେବନ୍ଦିଲେ ଯେ ଯାହା ବିଶ୍ୱାସେ
Couplet 15
ଅନାଇ ବିଦୁର ବଦନଆନନ୍ଦେ ଅଶ୍ରୁଜଳ ପୂର୍ଣ୍ଣ
Couplet 16
ସକଳ ପୂଜାବିଧି କରିରାଜନ କରେ କର ଧରି
Couplet 17
ବିଦୁରେ ବସାଇ ଆସନେପାଶେ ଭୁଞ୍ଜଇ ସୁଖମନେ
Couplet 18
ତାର ବଦନ ରାଜା ଚାହିଁଆନନ୍ଦେ ଘେନି ଚାରିଭାଇ
Couplet 19
ଉଚ୍ଚେ ପଚାରି ପ୍ରୀତିବାଣୀଯେମନ୍ତେ ସର୍ବଲୋକେ ଶୁଣି
Couplet 20
ହେ ତାତ କହୁଁ ତୋ ଅଗ୍ରତେଆମ୍ଭ କୁଶଳ ତୋର ଚିତ୍ତେ
Couplet 21
ସ୍ମରଣ କରୁ ତୀର୍ଥଭ୍ରମେବନଗହନ ବହୁଶ୍ରମେ
Couplet 22
ତୁମ୍ଭର ଛାୟା ଆଶ୍ରେ କରିସକଳ କଷ୍ଟହିଁ ପାଶୋରି
Couplet 23
ବିପଦ-ଦଶା ଯେତେ ହୋଇବନେ ବଞ୍ଚିଲୁ ପାଞ୍ଚଭାଇ
Couplet 24
ମାତା ସହିତେ ଜତୁଘରେଅଗ୍ନି ଦହନ ମହାଘୋରେ
Couplet 25
ବିଷଭକ୍ଷଣ ଆଦି ଯେତେତୋ ଆଗେ କହିବି ମୁଁ କେତେ
Couplet 26
ଅନେକ ଆପଦ ପ୍ରମାଦୁବଞ୍ଚିଲୁ ତୁମ୍ଭର ପ୍ରସାଦୁ
Couplet 27
ତୁ ଆମ୍ଭ ସ୍ନେହ ଦୂର କରିଭ୍ରମଣ କଲୁ ବସୁନ୍ଧରୀ
Couplet 28
ଉଦାସୀ ପଥିକ ଲକ୍ଷଣେଏକା ତୁ ବୁଲୁ ବନେ-ବନେ
Couplet 29
କିପରି ପ୍ରାଣ ରକ୍ଷା କରୁଏ ପଥଶ୍ରମ କେହ୍ନେ ହରୁ
Couplet 30
ଭ୍ରମିଲୁ ଅବନୀ ମଣ୍ତଳେତୀର୍ଥ-ଆଶ୍ରମ ପୁଣ୍ୟସ୍ଥଳେ
Couplet 31
ତୋହର ପ୍ରାୟେ ସାଧୁ ଯେତେପବିତ୍ର ଦେହେ ସର୍ବତୀର୍ଥେ
Couplet 32
ଭ୍ରମି କରନ୍ତି ପୁଣ୍ୟତରଯାହାଙ୍କ ଚିତ୍ତେ ଚକ୍ରଧର
Couplet 33
ତୁ ଯେ ସ୍ୱଭାବେ ପୁଣ୍ୟଦେହପ୍ରସନ୍ନ ଚିତ୍ତେ ତାତ କହ
Couplet 34
ଯାଦବ ସଙ୍ଗେ ବନମାଳୀସୂଖେ କି ଛନ୍ତି କୁଶସ୍ଥଳୀ
Couplet 35
ତାହାର ଭଲେ ଭଲ ମୋରସେ ହରି ଶରଣ-ସୋଦର
Couplet 36
ସୁଖେ ଅଛନ୍ତି କି ଯାଦବେଭୋ ତାତ ପଚାରୁ ପ୍ରସ୍ତାବେ
Couplet 37
ଏମନ୍ତେ ରାଜା ବାକ୍ୟ ଶୁଣିବିଦୁର ମନେମନେ ଗୁଣି
Couplet 38
ସୁହୃଦ ଭାବେ ଭୟ କଲାଯାଦବ କ୍ଷୟ ନ କହିଲା
Couplet 39
ବିଚାରେ କହିବି ମୁଁ ଯେବେଜୀବନ ଛାଡ଼ିବେ ପାଣ୍ତବେ
Couplet 40
କେମନ୍ତେ ଦେଖିବି ମୁଁ ଏହାଏତେ ବିଚାରି କଲା ମାୟା
Couplet 41
ନ କହେ ଯଦୁବଂଶ ନାଶନିର୍ଘାତେ ଛାଡ଼ିଲା ନିଃଶ୍ୱାସ
Couplet 42
ଉର୍ଦ୍ଧ୍ୱ-ବଦନେ ସେ ବିଦୁରକପଟେ କହଇ ମଧୁର
Couplet 43
ସର୍ବ-କୁଶଳ ଯା ପ୍ରସାଦେକୃଷ୍ଣ ଅଛନ୍ତି ଅପ୍ରମାଦେ
Couplet 44
ଏମନ୍ତେ ରାଜା ଆଗେ କହିକେତେହେଁ ଦିନ ପୁରେ ରହି
Couplet 45
ଜ୍ୟେଷ୍ଠଭ୍ରାତାର ଶ୍ରେୟ ଅର୍ଥେସର୍ବଜନଙ୍କ ପ୍ରୀତିମତେ
Couplet 46
ନିତ୍ୟେ ଆନନ୍ଦ ଧର୍ମରାଜାବିଦୁର-ପାଦେ କରେ ପୂଜା
Couplet 47
ରାତ୍ର-ଦିବସ ତାର ସଙ୍ଗେଧର୍ମନନ୍ଦନ ଅନୁରାଗେ
Couplet 48
ଅଶେଷ ତୀର୍ଥଙ୍କ ମହିମାକେ କହିପାରେ ଗୁଣସୀମା
Couplet 49
ସର୍ବ କହିଲା ସୁଖ ମନେଏବେ ହୋ ଶୁଣ ବିପ୍ରଜନେ
Couplet 50
ମାଣ୍ତବ୍ୟଠାରୁ ଶାପ ପାଇଯମ ବିଦୁର ଦେହ ବହି
Couplet 51
ଶତେ ବରଷ ଶୂଦ୍ର ଦେହେବଞ୍ଚିଲା ବିଷ୍ଣୁ-ମାୟା-ମୋହେ
Couplet 52
ପାପୀଙ୍କ ଦଣ୍ତେ ଅଧିକାରକରନ୍ତି ଦେବ ଦିନକର
Couplet 53
କୁଳରକ୍ଷକ ପରୀକ୍ଷିତଜାଣି ନିଶ୍ଚିନ୍ତ ଧର୍ମସୁତ
Couplet 54
ଏବେ ପାଣ୍ତବ ପାଞ୍ଚଭାଇରିପୁ ସଂହାରି ରାଜ୍ୟ ପାଇ
Couplet 55
ଗୃହ କରଣେ ଚିତ୍ତ ଜଡ଼ିବିଷ୍ଣୁର ମାୟାମୋହେ ପଡ଼ି
Couplet 56
ରାଜ୍ୟ କରନ୍ତେ ଧର୍ମସୁତମିଳିଲା କାଳ ବିପରୀତ
Couplet 57
କେହି ନ ଜାଣେ ଗତି ତାରସ୍ୱଭାବେ ଅବ୍ୟକ୍ତ ଈଶ୍ୱର
Couplet 58
ଧୂମ ପୂରିଲା ଦଶଦିଶେବିଦୁର ଦେଖି ମହାତ୍ରାସେ
Couplet 59
ବସିଲା ଧୃତରାଷ୍ଟ୍ର ମେଳେବିଶ୍ୱାସେ କହେ କର୍ଣ୍ଣମୂଳେ
Couplet 60
ହେ ଭ୍ରାତ ଶୁଣ ମୋ ଉତ୍ତରଚଳ ତୁ ବେଗେ ତେଜି ପୁର
Couplet 61
କାଳ ମିଳିଲା ଭୟଙ୍କରଦିଶ-ଆକାଶ ଅନ୍ଧକାର
Couplet 62
ଏଥକୁ ପ୍ରତିକ୍ରିୟା ନାହିଁଅବ୍ୟକ୍ତ ରୂପ ଯାରଦେହୀ
Couplet 63
ଦ୍ୱାପର ଯୁଗ ଶେଷ ହେଲାଏ କଳିକାଳ ପ୍ରକାଶିଲା
Couplet 64
ଆମ୍ଭର ପ୍ରାଣ ଏ ହରିବଏହାକୁ କେବା ନିବାରିବ
Couplet 65
ଜନ ସମ୍ପଦ ମହୀତଳେସଂହାର କରିବ ଏ ବଳେ
Couplet 66
ଦେବ ଦାନବ ମହାବଳବୃଦ୍ଧ ପ୍ରତାପୀ ଯୁବା ବାଳ
Couplet 67
ଯାହାର ଦରଶନ ମାତ୍ରେକଦଳୀବନ ଯେହ୍ନେ ବାତେ
Couplet 68
ଭୟେ କମ୍ପନ୍ତି ଥରହରକାତରେ ନେତ୍ରୁ ବହେ ନୀର
Couplet 69
ଅନିତ୍ୟ ଏ ମନୁଷ୍ୟ ଦେହୀସାର ଏହାର କିଛି ନାହିଁ
Couplet 70
ଏ ଦେହେ ଯେ ମୁକ୍ତ-ବନ୍ଧନତାହାକୁ ବୋଲି ମହାଜନ
Couplet 71
ଦେଖ ତୋହର କର୍ମଫଳନାଶିଲେ ଭ୍ରାତୃ ପୁତ୍ର ବଳ
Couplet 72
ଆୟୁଷ ତୋର ଶେଷ ହେଲାମରଣ ନିକଟ ହୋଇଲା
Couplet 73
ଅତି ଦୁଃଖିତ ବୃଦ୍ଧଦେହେତୋର ନିବାସ ପର ଗୃହେ
Couplet 74
ବିଶେଷେ ଚକ୍ଷୁହୀନ ତୁହିବଧିର ବୁଦ୍ଧି ଆର କାହିଁ
Couplet 75
ବିଶୀର୍ଣ୍ଣ ଦନ୍ତ ତୋ ଅଧରକଫେ ଜଡ଼ିତ କଣ୍ଠସ୍ୱର
Couplet 76
ଅନ୍ତରେ ଅଗ୍ନି ମନ୍ଦ ହୋଇଅନ୍ନ-ଭୋଜନ ନ ଜୀରଇ
Couplet 77
ପ୍ରାଣୀ ଜୀବିତ ଆଶା ଯେତେକେ ତାକୁ କରିବ ଆୟତ୍ତେ
Couplet 78
ଯେଉଁ ଭୀମର ଗଦାଘାତେସମରେ ନଶିଲେ ତୋ ସୁତେ
Couplet 79
ତାର ବର୍ଜିତ ପିଣ୍ତେ ଆଶାଶ୍ୱାନର ପ୍ରାୟେ ତୋ ଭରସା
Couplet 80
କୁମନ୍ତ୍ରୀଜନ ସଙ୍ଗେ ଭାଳିତୋର କୁମରେ କଲେ କଳି
Couplet 81
ପଣ୍ତୁର ପଞ୍ଚପୁତ୍ର ମାରିସୁଖେ ଭୁଞ୍ଜିବା ରାଜ୍ୟଶିରୀ
Couplet 82
ଦୁଷ୍ଟଙ୍କ ସଙ୍ଗେ ବିଚାରିଲେଭୀମକୁ ବିଷଲଡ଼ୁ ଦେଲେ
Couplet 83
ସେ ଭୀମ କେବେହେଁ ନମଲାତାହାକୁ ଗୋବିନ୍ଦ ରଖିଲା
Couplet 84
ଜତୁର ଘରେ ଅଗ୍ନି ଦେଲେସେ ବେଳେ ପାଣ୍ତବେ ନ ମଲେ
Couplet 85
ପୁଣି କପଟପଶା କରିଧନ ସମ୍ପଦ ଅପହରି
Couplet 86
ଦ୍ରୌପଦୀ କେଶ ଧରି ବଳେବିବସ୍ତ୍ର କଲେ ସଭା ତଳେ
Couplet 87
ଏ ଆଦି ଯେତେ କର୍ମ କଲେତୁ ତାହା ଶୁଣିଅଛୁ ଭଲେ
Couplet 88
ସେ କିମ୍ପା ତାଙ୍କ ଚିତ୍ତୁ ଯିବମନୁଷ୍ୟ ଜନ୍ମର ସ୍ୱଭାବ
Couplet 89
ତାହାଙ୍କ ଦତ୍ତ ପିଣ୍ତ ଖାଇସେବକ ପ୍ରାୟ ଗୃହେ ଥାଇ
Couplet 90
ତୋର ବୟସ ଆଉ କାହିଁଅତି ପୀଡ଼ିତ ବୃଦ୍ଧଦେହୀ
Couplet 91
ଦିନକୁ ଦିନ ତନୁ କ୍ଷୀଣଯେସନେ ପୁରୁଣା ବସନ
Couplet 92
ଏ ଦେହେ ବିରକ୍ତ ଯେ ଜନସେ ପ୍ରାଣୀ ବିମୁକ୍ତ-ବନ୍ଧନ
Couplet 93
ଅନିତ୍ୟ ନର-କଳେବରଭିତରେ କିଛି ନାହିଁ ସାର
Couplet 94
ଏହା ବିଚାରି ଯୋଗବଳେହରି ଭକତ ସଙ୍ଗ ମେଳେ
Couplet 95
ନିର୍ବେଦ ହୋଇ ଚଳେ ବନସେ ପ୍ରାଣୀ ପୁରୁଷ ଉତ୍ତମ
Couplet 96
ତୁ ବୁଧଜନଙ୍କ ଉତ୍ତମଏବେ ତୁ ଛାଡ଼ ମତିଭ୍ରମ
Couplet 97
ଉତ୍ତର-ପଥେ ଚଳ ବେଗେପତ୍ନୀ ସମେତେ ମୋର ସଙ୍ଗେ
Couplet 98
ମୁହିଁ ଉଦାସୀପଣେ ବନେସେବିବି ତୋତେ ଅନୁକ୍ଷଣେ
Couplet 99
ଦେଖ ଏ କାଳ ଭୟଙ୍କରଶିରୀ ହରିବ ପ୍ରାଣୀଙ୍କର
Couplet 100
ଏମନ୍ତେ ବିଦୁରର ବାଣୀସେ ଅନ୍ଧ ଧୃତରାଷ୍ଟ୍ର ଶୁଣି
Couplet 101
ତକ୍ଷଣେ ମୋହ ଜଡ଼ ଛାଡ଼ିବନ ଗମନେ ଚିତ୍ତ ବଢ଼ି
Couplet 102
ବିଷ୍ଣୁର ମାୟା କରି ଦୂରନବରୁ ହୋଇଲା ବାହାର
Couplet 103
ପତିର ବନବାସ କଥାଶୁଣି ସାନନ୍ଦେ ପତିବ୍ରତା
Couplet 104
ବିଦୁର କନ୍ଧେ ଦେଇ କରନଗରୁ ହୋଇଲେ ବାହାର
Couplet 105
ମନ ଆନନ୍ଦେ ବେନିଜନେପଶିଲେ ହିମାଳୟ-ବନେ
Couplet 106
କ୍ଷତ୍ରିୟ ଯେହ୍ନେ ମହାଯୁଦ୍ଧେପଶଇ ମନର ସାନନ୍ଦେ
Couplet 107
ଏବେ ହୋ ଶୁଣ ମୁନିବରେଧର୍ମନନ୍ଦନ ନିଜ ଘରେ
Couplet 108
ସନ୍ଧ୍ୟାଦି ନିତ୍ୟକର୍ମ ସାରିଅଗ୍ନି ପୂଜନ ଦାନ କରି
Couplet 109
ଗୁରୁ-ବନ୍ଦନ ପୂଜା ଅର୍ଥେଗୃହେ ପଶିଲେ କୃତକୃତ୍ୟେ
Couplet 110
ଗୁରୁ-ଭୁବନେ ଯାଇ ମିଳିହସ୍ତରେ ଘେନି ଅର୍ଘ୍ୟସ୍ଥାଳୀ
Couplet 111
ତକ୍ଷଣେ ଦେଖି ଶୂନ୍ୟଘରକାତର ମନେ ନୃପବର
Couplet 112
ପୁଚ୍ଛିଲେ ସଞ୍ଜୟକୁ ଚାହିଁମୋ ଗୁରୁଜନେ ଗଲେ କାହିଁ
Couplet 113
କେହି ନ ଶୁଣନ୍ତି ବଚନଭୟେ ଚାହାନ୍ତି ଛନ୍ନଛନ୍ନ
Couplet 114
ପୁଣି ବୋଲନ୍ତି ଜନେ ଚାହିଁତାତ ଜନନୀ ଗଲେ କାହିଁ
Couplet 115
ବିଦୁର ନାହିଁ ମୋର ପାଶେତାତ ଜନନୀ ମୋ ନ ଦିଶେ
Couplet 116
ଲୋଚନେ ନ ଦିଶଇ ପଥଦଇବେ ବୟସେ ବୃଦ୍ଧତ୍ୱ
Couplet 117
ପୁତ୍ରଙ୍କ ମରଣେ ଦୁଃଖିତକେବଣ ଦେଶେ ଉପଗତ
Couplet 118
ନ ପୁଣ ପୁତ୍ର-ଶୋକ-ଜାଳେପ୍ରାଣ ଛାଡ଼ିଲେ ଗଙ୍ଗାଜଳେ
Couplet 119
ବନ୍ଧୁ ସୁହୃଦ ପୁତ୍ର ନାଶେମୋର ଜନନୀ ତାତ ତ୍ରାସେ
Couplet 120
ଦୁଃଖସାଗରେ ନିମଜ୍ଜିଲେମୋର ଦୁଷ୍କୃତ-କର୍ମ ଫଳେ
Couplet 121
ଧର୍ମନନ୍ଦନ ବାକ୍ୟ ଶୁଣିସାରଥି ନ କହିଲା ବାଣୀ
Couplet 122
ନ ଦେଖି ଧୃତରାଷ୍ଟ୍ର ପାଶେଅତି ପୀଡ଼ିତ ସ୍ନେହ ବଶେ
Couplet 123
ବିରହ ଦୁଃଖରେ ବିକଳନୟନୁ ବହେ ଅଶ୍ରୁଜଳ
Couplet 124
ପୁଣି ସେ ମନେ ଧୈର୍ଯ୍ୟ ଧରିହସ୍ତେ ପୋଛିଲା ନେହୁ ବାରି
Couplet 125
ଧୃତରାଷ୍ଟ୍ରର ଯେ ବିଯୋଗକହଇ ଯୁଧିଷ୍ଠିର ଆଗ
Couplet 126
ଶୁଣ ହେ ନୃପ-ଚୂଡ଼ାମଣିତୋହର ପିଅର ଜନନୀ
Couplet 127
ରଜନୀ କାଳେ ଗଲେ କାହିଁସର୍ବଥା ନ ଜାଣଇ ମୁହିଁ
Couplet 128
ମୋର ଜୀବନ ଦୁଃଖ ଭରେମଜ୍ଜିଲା ବୃଜିନ-ସାଗରେ
Couplet 129
ଏମନ୍ତେ କହୁଁ ମନ ଖେଦଗଗନେ ଶୁଭେ ବୀଣାନାଦ
Couplet 130
ଶୁଣି ଚାହିଁଲେ ଅନ୍ତରୀକ୍ଷେନାରଦ ଦିଶିଲେ ପ୍ରତ୍ୟକ୍ଷେ
Couplet 131
ତୁମ୍ବୁରୁ ଅଛି ତାଙ୍କ ସଙ୍ଗେବୀଣା-ବିନୋଦ ବାଦ୍ୟରଙ୍ଗେ
Couplet 132
ନାଦେ ଗୋବିନ୍ଦ ଗୁଣ ଗାଇପୁଲକ ରୋମପନ୍ତି ବହି
Couplet 133
ଆନନ୍ଦେ ଅଶ୍ରୁଜଳ ପୂରେମିଳିଲେ ରାଜାର ଛାମୁରେ
Couplet 134
ଦେଖି ସମ୍ଭ୍ରମେ ନୃପମଣିଅନୁଜ ସଙ୍ଗେ ପାଦେ ନମି
Couplet 135
ମୁନିଙ୍କି ଆସନେ ବସାଇବେନି ଚରଣ କରେ ଧୋଇ
Couplet 136
ଚରଣ ପୂଜି ବିଧିମତେକହନ୍ତି ନାରଦ ଅଗ୍ରତେ
Couplet 137
ଭୋ ବ୍ରହ୍ମମୁନି ଶୁଣ ଭଲେମୋ ତାତମାତ କେଣେ ଗଲେ
Couplet 138
ମୋର କରମ ଦୁଃଖ ଶୁଣଭୋ ମୁନି ତୁମ୍ଭେ ଭଲେ ଜାଣ
Couplet 139
ଚକ୍ଷୁ ବିହୀନେ ଘୋରବନେଜୀବନ ଧରିବେ କେସନେ
Couplet 140
ଗଭୀର-ଜଳେ ନାବ ଥୋଇନାବିକ ଯେସନେ ପଳାଇ
Couplet 141
ତେମନ୍ତେ କରିଗଲେ ମୋତେଅଧିକ କହିବି ମୁଁ କେତେ
Couplet 142
ଏ ଶୋକ-ସାଗର ଅପାରପାରକ ତୁମ୍ଭେ କର୍ଣ୍ଣଧାର
Couplet 143
ରାଜନ ଶୋକବାଣୀ ଶୁଣିମୁନି କହନ୍ତି ଯୋଗବାଣୀ
Couplet 144
ଭୋ ନୃପ ଶୋକ ତୁ ନକରଈଶ୍ୱର ମାୟା ଏ ସଂସାର
Couplet 145
ପ୍ରାଣୀ ଭିଆଇ ମାୟାଯୋଗେଖେଳଇ ସଂଯୋଗ-ବିଯୋଗେ
Couplet 146
ଗୋରୁ ନାସିକା ଯେହ୍ନେ ବିନ୍ଧିଆକର୍ଷି ଚର୍ମରଜ୍ଜୁ ବାନ୍ଧି
Couplet 147
ସେ ପ୍ରାଣୀ ଯେହ୍ନେ ଭାରା ବହେଅନ୍ତରେ ଦୁଃଖ ଖେଦ ସହେ
Couplet 148
କ୍ରୀଡ଼ା-କନ୍ଦୁକ କ୍ରୀଡ଼ାରଙ୍ଗେଭ୍ରମଇ ସଂଯୋଗେ ବିଯୋଗେ
Couplet 149
ଯେ ଦାନ ପଡ଼ଇ ଯେମନ୍ତେକନ୍ଦୁକ ଚଳେ ସେହିମତେ
Couplet 150
ସଂସାର ଈଶ୍ୱରର ଇଚ୍ଛାଏ ଭବପଥ ଗୁରୁଦୀକ୍ଷା
Couplet 151
ତୁ ରାଜା ତୋତେ ହେଁ ନ ଜାଣୁସଂସାର ସତ୍ୟ ପ୍ରାୟ ମଣୁ
Couplet 152
ସତ୍ୟ କି ମିଥ୍ୟା ବେନିପଥେଶୋକ ନ କରି ପାରୁ ଚିତ୍ତେ
Couplet 153
ଯଦି ତୁ ଜୀବ ସତ୍ୟ ମଣୁଦେହ ଅନିତ୍ୟ ପରିମାଣୁ
Couplet 154
ଅଥବା ବ୍ରହ୍ମଭାବ ବହୁସ୍ନେହ ଛାଡ଼ିଲେ ଶୋକ କାହୁଁ
Couplet 155
ଏଣୁ ଅଜ୍ଞାନ ଜଡ଼ମତିବ୍ୟାକୁଳ ଛାଡ଼ ହେ ନୃପତି
Couplet 156
ତୁ ଯେ ବିଚାରୁ ସ୍ନେହଭାବେମୋ ବିନେ କେମନ୍ତେ ବଞ୍ଚିବେ
Couplet 157
ଏ ଦେହ ପଞ୍ଚଭୂତେ ଜଡ଼ିଅବିଦ୍ୟା କାଳକର୍ମେ ପଡ଼ି
Couplet 158
ଆପଣା ଦୁଃଖେ ନିତ୍ୟ ଦୁଃଖୀଏ କାହିଁ ପରପ୍ରାଣ ରଖି
Couplet 159
ଉରଗ ଗିଳିଛି ଯାହାକୁସେ କାହିଁ ରଖିବ ଆନକୁ
Couplet 160
ଦେଖ ପ୍ରତ୍ୟକ୍ଷେ ନୃପବରବିଷ୍ଣୁର ମାୟା-ଖେଳଘର
Couplet 161
ସ୍ୱଭାବେ ନାହିଁ ଯାର ହସ୍ତହସ୍ତ ଥିଲାର ସେ ଆୟତ୍ତ
Couplet 162
ଦ୍ୱିପଦ ଚତୁଷ୍ପଦ ଯେତେନି ଦେ ତାହାଙ୍କ ଆୟତ୍ତେ
Couplet 163
ବଡ଼ଙ୍କ ଭକ୍ଷ୍ୟ ହୋନ୍ତି ସାନେସେ ନାଶ ଯାନ୍ତି ଅନ୍ୟେ ଅନ୍ୟେ
Couplet 164
ଏ ଜୀବ ଜୀବଙ୍କ ଆହାରକେବଳ ନିର୍ବଳ ବିଚାର
Couplet 165
ସେ ହରି ନିତ୍ୟ ବିଶ୍ୱରୂପେନର ଶରୀରେ ମୋହକଳ୍ପେ
Couplet 166
ଏକଇ ଆତ୍ମା ନରହରିଭାବେ ଅଶେଷ ଦେହେ ପୂରି
Couplet 167
ଅନ୍ତର ବାହାରେ ପ୍ରକାଶସେ ଭୋଗ୍ୟ ଭୋକ୍ତା ହୃଷୀକେଶ
Couplet 168
ଏ ମାୟା ଦୁରନ୍ତ ତାହାରକେ କରି ପାରିବ ଗୋଚର
Couplet 169
ଭାରା ନିବାରେ ତନୁ ଧରିଦୁର୍ଜନ ସମୂହ ସଂହାରି
Couplet 170
ନିଜ ଜନଙ୍କୁ ରକ୍ଷା କରେଏମନ୍ତେ ସଂସାରେ ବିହରେ
Couplet 171
ଦେବଙ୍କ କାର୍ଯ୍ୟ କରି ତୋଷେଏବେ ବର୍ତ୍ତଇ ଅବଶେଷେ
Couplet 172
ଯାବତ ଥିବ ଚକ୍ରଧରତାବତ ତୁମ୍ଭ ଅଧିକାର
Couplet 173
ଏବେ ହୋ ଶୁଣ ମହାରଥାତୋ ତାତ-ଜନନୀ ବ୍ୟବସ୍ଥା
Couplet 174
ବିଦୁର ଧୃତରାଷ୍ଟ୍ର ବେନିସଙ୍ଗତେ ପତିବ୍ରତା ଘେନି
Couplet 175
ସେ ହିମବନ୍ତର ଦକ୍ଷିଣେଋଷି ଆଶ୍ରମ ଘୋରବନେ
Couplet 176
ଯେ ସପ୍ତସ୍ରୋତ ସୁରନଦୀଭରତଖଣ୍ତେ ଯେ ପ୍ରସିଦ୍ଧି
Couplet 177
ସେ ଜଳେ ନିତ୍ୟେ କରି ସ୍ନାନଅନଳେ କରି ହୋମଦାନ
Couplet 178
କେବଳ ଜଳ-ଗ୍ରାସ ଭକ୍ଷିଶରୀରେ ଜୀବଆତ୍ମା ରଖି
Couplet 179
ବିଗତରାଗ ଇନ୍ଦ୍ରିଗଣେପ୍ରଣବେ ନିଃଶ୍ୱାସ ଧାରଣେ
Couplet 180
ଦୃଢ଼ ଆସନେ ବସି ଧୀରେଷଡ଼ ଇନ୍ଦ୍ରିୟ ପରିହରେ
Couplet 181
ସର୍ବ ବିଷୟ ରସ ତେଜିହରି ଚରଣ ଭାବେ ଭଜି
Couplet 182
ମନ ଛଡ଼ାଇ ତିନିଗୁଣେସମାଧି ଗୋବିନ୍ଦ ଚରଣେ
Couplet 183
ବିଜ୍ଞାନ ଆତ୍ମା ଜ୍ଞାନେ ଭରିଜୀବ ପରମ ଏକ କରି
Couplet 184
ପ୍ରବେଶି ଅନାହତ ପୁରେଗୋବିନ୍ଦ ନାମ ଧରି ଧୀରେ
Couplet 185
ଗଗନେ ଗମନ ପ୍ରବେଶକି ଅବା ରହେ ଅବଶେଷ
Couplet 186
ତ୍ରିଗୁଣ ମାୟା ନାଶ କରିବସଇ ଇନ୍ଦ୍ରିୟ ସଂହରି
Couplet 187
ସର୍ବବିଷୟ ଯୋଗବଳେନିବାରି ଆସନ ନିଶ୍ଚଳେ
Couplet 188
ନିଶ୍ଚଳ ସ୍ଥାଣୁ ପ୍ରାୟ ଲକ୍ଷିକେ ଅବା ତାରେ ବିଘ୍ନ ଇଚ୍ଛି
Couplet 189
ଆଜହୁଁ ପଞ୍ଚଦିନ ଅନ୍ତେପ୍ରାଣ ଛାଡ଼ିବେ ଯୋଗପଥେ
Couplet 190
ରଜନୀ କାଳେ ବୃକ୍ଷମୂଳେପବନ ଯୋଗେ ଦାବାନଳେ
Couplet 191
ଦହନ ହୋଇବ ଶରୀରତା ପତ୍ନୀ ଥିବ ଯେ ବାହାର
Couplet 192
ତକ୍ଷଣେ ସ୍ୱାମୀ ଧରି କୋଳେଦହନ ହୋଇବ ଅନଳେ
Couplet 193
ତା ଦେଖି ବିଦୁର ଶରୀରହରଷ ଶୋକରେ କାତର
Couplet 194
ହୃଦେ ସୁମରି ନରହରିବେଗେ ସେ ବନୁ ଅପସରି
Couplet 195
ତୀର୍ଥ ସେବନେ ଆଗମନକରିବ ଶୁଣ ହେ ରାଜନ
Couplet 196
ଏମନ୍ତେ ରାଜା ଆଗେ କହିତୁମ୍ବୁରୁ ତୁଲେ ବୀଣା ବାଇ
Couplet 197
ଆକାଶ ମାର୍ଗେ ଗଲେ ମୁନିଧର୍ମନନ୍ଦନ ତାହା ଶୁଣି
Couplet 198
ତତ୍ତ୍ୱବଚନ ହୃଦେ ଧରିସର୍ବ ସଂଶୟ ଦୂର କରି
Couplet 199
ରାଜ୍ୟ ପାଳନେ ଦୃଢ଼ ଚିତ୍ତକହଇ ଦାସ ଜଗନ୍ନାଥ