Are Babu Shyamaghana Tu Gale Madhubhubana (Mathura Mangala 6th Chhanda) Bhakta Charan Das
Listen with a membership.
See the membershipLyrics: Bhakta Charan Das · Voice: Namita Agrawal · Source: Smaranika.in (original text of a classical work)
lyrics
ଗୀତ : ଆରେ ବାବୁ ଶ୍ୟାମଘନ ତୁ ଗଲେ ମଧୁଭୁବନ ଭାଷା : ଓଡ଼ିଆ ପୋଥି / ପୁସ୍ତକ : ମଥୁରାମଙ୍ଗଳ, ଷଷ୍ଠ ଛାନ୍ଦ ରାଗ : ବରାଡ଼ି ସଂଗୀତ ନିର୍ଦ୍ଦେଶନା : ପାରମ୍ପରିକ
ଆରେ ବାବୁ ଶ୍ୟାମଘନ ତୁ ଗଲେ ମଧୁଭୁବନ କାହା ମୁଖ ଅନାଇ ବଞ୍ଚିବି ହେବ ଦଶଦିଗ ଶୂନ୍ୟ ଅସ୍ଥିର ହେବ ଜୀବନ ନିଶି ଦିବସରେ ଝୁରୁଥିବି ରେ ଜୀବଧନ ଜୀବନ ବିହୁନେ ଯେହ୍ନେ ଝସ ରାଜା ବିନେ ଯେହ୍ନେ ଗ୍ରାମ ଦେଶ ରେ ଜୀବଧନ ଜୀବନ ବିହୁନେ ଯେହ୍ନେ ଝସ ॥୧॥
କାହା ଅଙ୍ଗେ ଚତୁଃସମ ଲେପିବି କରି ସୁସମ ନିଦ୍ରାରେ କେ ହେଉଥିବ ଘାରି କାହାକୁ ଅଞ୍ଜନ ଦେବି ବସ୍ତ୍ରପାଡି ଶୁଆଇବି ପିତାକୁ ମାଗିବ କେହୁ ହରି ରେ ଜୀବଧନ ଏ କଥା ସୁମରି ଯିବି ମରି ନିଶ୍ଚେ ଯେବେଯିବୁ ମଧୁପୁରୀ ରେ ଜୀବଧନ ଏ କଥା ସୁମରି ଯିବି ମରି ॥୨॥
ବାନ୍ଧିବି କାହାର କେଶ, କୁସୁମେ କରି ସୁବେଶ କାହା ଲଲାଟରେ ଦେବି ଚିତା କାହାର କର୍ଣ୍ଣେ କୁଣ୍ତଳ, ଖଞ୍ଜିବିରେ ମୋର ବାଳ କାହା ପାଇଁ କରୁଥିବି ଚିନ୍ତା ରେ ଜୀବଧନ କାହା ଅଙ୍ଗୁ ଧୂଳି ଦେବି ପୋଛି କାହାକୁ ବା ପିନ୍ଧାଇବି କାଛି ରେ ଜୀବଧନ କାହା ଅଙ୍ଗୁ ଧୂଳି ଦେବି ପୋଛି ॥୩॥
ଯେତେବେଳେ ବନେ ଯାଉ, ସଙ୍ଗେ ମୋର ପ୍ରାଣ ନେଉ ନିମିଷେ ବିଚ୍ଛେଦ ନ ସହଇ ଏବେ ଯିବୁ ମଥୁରାକୁ, ମତେ ସମର୍ପି କାହାକୁ ଚନ୍ଦ୍ରମୁଖ ନ ଦେଖିଲେ ମୁହିଁ ରେ ଜୀବଧନ ଜୀବନ ହାରିବି ଗଣ୍ତଜଳେ ତୁ ମତେ ଅନ୍ତର ହେଲେ ତିଳେ ରେ ଜୀବଧନ ଜୀବନ ହାରିବି ଗଣ୍ତଜଳେ ॥୪॥
ସର ଲବଣୀ ଅଧାମ, ପକ୍ୱରମ୍ଭା ସୁଧାସମ ମୁଖେ ଦେଲେ ଥୁ ଥୁ କରି ଫିଙ୍ଗୁ ଯେତେରୂପେ ନାଳିଆଇଁ, ପରଷଇଁ ବଳିଆଇଁ କୋପେ ଉଠି ପାକଭାଣ୍ତ ଭାଙ୍ଗୁ ରେ ଜୀବଧନ ଏବେ ଦୂର ହୋଇବ ସେ କଥା କି ନ କରେ ଦାରୁଣ ବିଧାତା ରେ ଜୀବଧନ ଏବେ ଦୂର ହୋଇବ ସେ କଥା ॥୫॥
ଛାଇକି ଅନାଁଇ ଡରୁ, ଧାଇଁ ମୋତେ କୋଳ କରୁ ବସନେ ଘୋଡ଼ାଇ ମୁଖ ଗୋଟି ହେଉଥାଉ ଥରହର, ଦେଖିଲେ ଅନ୍ଧାରଘର ଉଚ୍ଚପାବଚ୍ଛ ନ ପାରୁ ଉଠି ରେ ଜୀବଧନ ମଧୁପୁରେ ହସ୍ତୀ ଘୋଡ଼ାମାନ ଗର୍ଜିଲେ ନ ଡରୁ ଶ୍ୟାମ ପୁଣ ରେ ଜୀବଧନ ମଧୁପୁରେ ହସ୍ତୀ ଘୋଡ଼ାମାନ ॥୬॥
କାନ୍ଥେ ଦେଖି ଚିତ୍ରପନ୍ତି, ନାନା ଭୟଙ୍କର ମୂର୍ତ୍ତି ଭୟେ ଯାଉ ସେ ଘରୁ ପଳାଇ ଏବେ କଂସପୁର ଯିବୁ, ରାକ୍ଷସମାନ ଦେଖିବୁ ଡରି କାହାକୁ ଧରିବୁ ଯାଇଁ ରେ ଜୀବଧନ ମାଏ ବୋଲି ଡାକିବୁ କାହାକୁ ସାହାକୁ କେ ଆହା ବୋଲିବାକୁ ରେ ଜୀବଧନ ମାଏ ବୋଲି ଡାକିବୁ କାହାକୁ ସାହା ॥୭॥
ନିଶାକାଳେ ମୋର କୋଳେ, ଶୋଇଥାଉ ଶ୍ରମବଳେ ସ୍ୱପନରେ ଦେଖୁ କିସ କିସ ମା ବୋଲି ଚମକି ପଡ଼ୁ, କଣ୍ଠେ ଦୁଇଭୁଜ ଭିଡ଼ୁ ପୁଣି ଶୋଉ ଘୋଡ଼ିହୋଇ ବାସ ରେ ଜୀବଧନ ସେ କଥା ସୁମରି ମରିଯିବି ଉଠ ବୋଲି କାହାକୁ ଡାକିବି ରେ ଜୀବଧନ ସେ କଥା ସୁମରି ମରିଯିବି ॥୮॥
ପ୍ରଭାତ କାଳେ କେ ମୋତେ, ଡାକିବ କ୍ଷୁଧାଆରତେ କାହାକୁ ଭୁଞ୍ଜାଇଦେବି ସର କେ ଧରି ମନ୍ଥନଦଣ୍ତ, ଭାଙ୍ଗିବ ମୋ ଦଧିଭାଣ୍ତ କାହାକୁ ବାନ୍ଧିବି ଅର୍ଜୁନରେ ରେ ଜୀବଧନ କାହା ନାମେ ଗାଉଥିବି ଗୀତ କାହାକୁ ଡାକିବେ ଗୋପସୁତ ରେ ଜୀବଧନ କାହା ନାମେ ଗାଉଥିବି ଗୀତ ॥୯॥
କାହା ନାମେ ଗୋପନାରୀ, କରିବେ ମୋତେ ଗୁହାରି କାହା କରୁ ଛଡାଇବି ମାଟି କେହୁ ତୁଣ୍ତ ଦେଖାଇବ, ଖେଳେ କେହୁ ଭୋଖାଇବ ଅଧାମ କାହା ଅଧରେ ଦେବି ରେ ଜୀବଧନ କାହାକୁ ବୋଲିବି ଝୁଲ ହାତୀ କାହାକୁ ଡାକିବି କର ପାତି ରେ ଜୀବଧନ କାହାକୁ ବୋଲିବି ଝୁଲ ହାତୀ ॥୧୦॥
ଗାଈ କେ ଚରାଇ ନେବ, ରାମ ସଙ୍ଗେ ବନେ ଯିବ ନାନାରଙ୍ଗେ କେ ବାଇବ ବଂଶୀ କରିବ କେ ବାଳକେଳି, ମଧ୍ୟେ ନାଚୁଥିବ ଢଳି କାହାକୁ ଚାହିଁବେ ବ୍ରଜବାସୀ ରେ ଜୀବଧନ ଅସୁନ୍ଦର ଦିଶିବ ଭୁବନ ଆଉ କାହିଁ ଦେଖିବି ସେମାନ ରେ ଜୀବଧନ ଅସୁନ୍ଦର ଦିଶିବ ଭୁବନ ॥୧୧॥
କେ ଆଣି ଦେବ ପୁଅକୁ, ଦାଣ୍ତେ ଖୋଜିବି କାହାକୁ କାହାକୁ ଦେଖିବି ନୀପମୂଳେ କେହୁ ବନେ ପଳାଇବ, ନନ୍ଦଙ୍କ ଆଗେ କହିବ ଆଜ ମୋତେ ମାଏ ମାରୁଥିଲେ ରେ ଜୀବଧନ ତହିଁ ପାଇଁ ଚଳିହେବେ ତାତ ମୋତେ କ୍ରୋଧେ ଦଣ୍ତିବେ ବହୁତ ରେ ଜୀବଧନ ତହିଁ ପାଇଁ ଚଳିହେବେ ତାତ ॥୧୨॥
ଏତେ ବୋଲି ନନ୍ଦରାଣୀ, ନୟନୁ ବୁହାଇ ପାଣି ଚୁମ୍ବ ଦେଇ ଶ୍ୟାମ ଗଣ୍ତସ୍ଥଳେ ନୀଳାମ୍ବର ମୁଖଚାହିଁ, ବୋଲନ୍ତି ମୋ ବାପ ଭାଇ କାଲି ଯିବ ମଥୁରାମଣ୍ତଳେ ରେ ବଳରାମ ସଙ୍ଗେ ସଙ୍ଗେ ଘେନିଥିବୁ ହରି ଡରିବଟି ଦେଖି କଂସପୁରୀ ରେ ବଳରାମ ସଙ୍ଗେ ସଙ୍ଗେ ଘେନିଥିବୁ ହରି ॥୧୩॥
ତୁ ଯେ ବଳେ ବଳୀଆର, ନିର୍ବଳ ମୋର କୁମର ନ ଜାଣଇ ଚତୁରାଇପଣ ନ ପୁଣ ହୋଇବ ବଣା, ଜାଣି ନ ପାରିବ ଠଣା ଏଣୁକରି କହୁଅଛି ପୁଣ ରେ ବଳରାମ ଯହିଁ ଗଲେ ନ ଛାଡ଼ିବୁ କ୍ଷଣେ ଭିଡ଼େ ନ ପଶିବୁ ବଳପଣେ ରେ ବଳରାମ ଯହିଁ ଗଲେ ନ ଛାଡ଼ିବୁ କ୍ଷଣେ ॥୧୪॥
ସେ ନୋହେଟି ଗୋପପୁର, ଗୋପୀମାନଙ୍କର ଘର କାହିଁ ନ କରିବ ହୁରିଜୁରି ଦାରୁଣ ନୃପତି କଂସ, ଶୁଣିଲେ କରିବ ରୋଷ ଶୁଭେ ଯାଇ ଆସ ଗୋପପୁରୀ ରେ ବଳରାମ ଆସିବାକୁ ପଥ ଚାହୁଁଥିବି ଉଛୁର ହୋଇଲେ ଧାଇଁଯିବି ରେ ବଳରାମ ଆସିବାକୁ ପଥ ଚାହୁଁଥିବି ॥୧୫॥
ଏ ବାଣୀ ଶୁଣି ରୋହିଣୀ, କାନ୍ଦିଣ ଲୋଟେ ଧରଣୀ ରାମ ରାମ ବୋଲି ବାହୁନଇ କୋଳେ ଧରି ନିଜ ସୁତ, ବୋଲଇ ହୋଇ ଆରତ ଚନ୍ଦ୍ରମୁଖ ଗୋଟି ଲୁଚିଯାଇ ରେ ବଳରାମ ମନ୍ଦକଂସ ଦ୍ୱନ୍ଦ୍ୱ ଭିଆଇଲା ଆମ୍ଭଙ୍କୁ ଏ ଦଶା ଦିଆଇଲା ରେ ବଳରାମ ମନ୍ଦକଂସ ଦ୍ୱନ୍ଦ୍ୱ ଭିଆଇଲା ॥୧୬॥
ଶୁଣି ଅକ୍ରୂର ପ୍ରଜ୍ୱଳି, ନନ୍ଦକୁ ଦେଉଛି ଗାଳି ସାଜ ସାଜ ପାହିଲା ରଜନୀ ସାଜିଲେ ଯେ ବୋଲେ ନନ୍ଦ, କେବଳ ରାମ ଗୋବିନ୍ଦ ସଜ ହେଉଛନ୍ତି ମନ୍ତ୍ରିମଣି ହେ କଂସଦୂତ ଶୁଣି ବୋଲେ ସାଜ ବେଗ କରି ଉଛୁରେ କ୍ରୋଧିବେ ଦଣ୍ତଧାରୀ ହେ କଂସଦୂତ ଶୁଣି ବୋଲେ ସାଜ ବେଗ କରି ॥୧୭॥
ସାଜିଲେ ଗୋକୁଳକୁଳ, ପଡ଼ିଲା ଗୋପେ ଚହଳ ପୁର ନରନାରୀ ଧାଇଁଛନ୍ତି ଉଠିଲେ ନନ୍ଦନନ୍ଦନ, ବସିଲେ ଅକ୍ରୂର ଯାନ ଗୋପନାରୀ ଓଗାଳି ଅଛନ୍ତି ଯେ ଶ୍ୟାମବନ୍ଧୁ ପିନ୍ଧିଛନ୍ତି ବିଚିତ୍ର କାଛେଣୀ କୋଟିଏ କାମକୁ ପାରେ ଜିଣି ସେ ଶ୍ୟାମବନ୍ଧୁ ପିନ୍ଧିଛନ୍ତି ବିଚିତ୍ର କାଛେଣୀ ॥୧୮॥
ରାମ ସଜ ଅତି ଶୋଭା, ଦେଖି ମନ ନେତ୍ର ଲୋଭା ଗୋପପୋଏ ସେହିମତି ସଜ ବେନି ମତ୍ତସିଂହ ସଙ୍ଗେ, ମତ୍ତଗଜ କିବା ରଙ୍ଗେ ତେହ୍ନେ ଶୋଭା ବରଜତନୁଜ ସେ ଗୋପୀମାନେ ଚଉପାଶେ ସିଂହର ଘରଣୀ ଦେଖି ଶୋଭା ପାଉଛି ଧରଣୀ ସେ ଗୋପୀମାନେ ଚଉପାଶେ ସିଂହର ଘରଣୀ ॥୧୯॥
ଗହଳ ଗୋକୁଳଦାଣ୍ତ, ଆନନ୍ଦ ହୋଇ ବ୍ରହ୍ମାଣ୍ତ ବିଚାରଇ ଯିବ ଏବେ ଭାରା ମଥୁରାକୁ ଯିବେ ହରି, ମାରିବେ କଂସକୁ ଧରି ଏତେ ବୋଲି ଆନନ୍ଦିତ ଧରା ସେ ବସୁମତୀ ଯହୁଁ ରଥେ ଯିବେ ଗୋପୀନାଥ ଭକତଦାସ ହେଲା ଅନାଥ ସେ ବସୁମତୀ ଯହୁଁ ରଥେ ଯିବେ ଗୋପୀନାଥ ॥୨୦॥
ଶୈଳଭାମା ମହାପାତ୍ର (Sailabhama Mohapatra) ଙ୍କ କଣ୍ଠରେ
ସମ୍ପୂର୍ଣ୍ଣ ଗୀତ ଏଇଠି ଶୁଣନ୍ତୁ ଉପାସନା ସାହୁ (Upasana Sahu) ଙ୍କ କଣ୍ଠରେ